ଭୁବନେଶ୍ବର: କମିଶନରେଟ ପୋଲିସ ପାଖରେ ନାହିଁ ମାନବ ସମ୍ବଳ । ଏଥିପାଇଁ ସମାଧାନ ହୋଇପାରୁନାହିଁ ଅଧାରୁ ଅଧିକ ମାମଲା। ରାଜଧାନୀର ବିଭିନ୍ନ ଥାନାରେ 18 ହଜାରରୁ ଅଧିକ କେସ୍ ରିପୋର୍ଟ ହୋଇଥିବା ବେଳେ ଏବେବି ଅନେକ ମାମଲାର ସମାଧାନ ହୋଇପାରିନି। ବିଭିନ୍ନ ମାମଲାକୁ ନେଇ ଚାର୍ଜସିଟ ଫାଇଲ କରିବାରେ ମଧ୍ୟ ବିଳମ୍ବ ହୋଇଛି ।
ଏହାକୁ ନେଇ ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ସମସ୍ତ ଥାନାର ମାନବ ସମ୍ବଳ ନେଇ ଯାଞ୍ଚ କରିଛନ୍ତି। ସମାଧାନ ହୋଇନଥିବା ପୂର୍ବ ବର୍ଷର ମାମଲା ଓ ଚଳିତ ବର୍ଷର ମାମଲାର ସମାଧାନ କରିବାକୁ ବିଭିନ୍ନ ଅଧିକାରୀଙ୍କୁ ଟାର୍ଗେଟ ଦିଆଯାଇଛି। ବର୍ଷ ଶେଷ ହେବାକୁ ଆଉ ମାତ୍ର 5 ଦିନ ବାକିଥିବା ବେଳେ ଯେତେ ସମ୍ଭବ ମାମଲାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ବର ଡସିପି ।
ବର୍ଷ ଶେଷ ହେବାକୁ ଥିବା ବେଳେ ଭୁବନେଶ୍ବର ଡିସିପିଙ୍କ ଟାର୍ଗେଟକୁ ନେଇ ବର୍ତ୍ତମାନ ବିଭିନ୍ନ ଥାନା ଅଧିକାରୀଙ୍କ ନିଦ ହଜିଛି । ବିଦ୍ୟୁତ ଥାନା ଓ ଟ୍ରାଫିକ ଥାନାକୁ ଛାଡ଼ିଦେଲେ ସମସ୍ତ ଥାନାରେ ରିପୋର୍ଟ ସହ ଅପମୃତ୍ୟୁ ମାମଲା ରହିଛି। କେତେକ ମାମଲା ତଦନ୍ତ ହୋଇ ହତ୍ୟା ମାମଲାରେ ପରିଣତ ହୋଇଛି।