ଭୁବନେଶ୍ବର:ଟ୍ବିନସିଟିରେ ନୂଆ ମୁଖିଆଙ୍କ ନୂଆ ଯୋଜନା । ବର୍ଷକ ପରେ ଲୋକଙ୍କ କାମରେ ଆସେନା । ମୁଖିଆ ବଦଳିଲେ ଯୋଜନା ବଦଳେ । ସମସ୍ୟା ଆସିଲେ ପ୍ଲାନ୍ ତିଆରି ହୁଏ । ସମୟ ଗଡ଼ିଲେ ଯୋଜନା ବାଟବଣା ହୁଏ । ନା ଲୋକଙ୍କ କାମରେ ଆସେ, ନା ସହରବାସୀଙ୍କ ସମସ୍ୟା ସମାଧାନ ହୁଏ । ଟ୍ବିନିସିଟିର ଏମିତି କିଛି ଯୋଜନା ଲାଗୁ ହେବାପରେ ବନ୍ଦ ହୋଇଛି ପୂର୍ବରୁ ଲାଗୁଥିବା ଯୋଜନା । ଏହାରି ମଧ୍ୟରେ ସହରର ବିଗୁଡ଼ୁଥିବା ଅପରାଧ ପ୍ରତିଛବି ସୁଧାରିବା ପାଇଁ ପୋଲିସ ଖୋଜିଛି ବସ୍ତିର ସହାୟତା । ବସ୍ତିରେ ବନ୍ଧୁତ୍ବରେ ହାତ ବଢ଼ାଇବା ପାଇଁ ପୋଲିସ ମିତ୍ରଙ୍କ ସହାୟତା ନେଇଛି ।
ବସ୍ତିରେ ଅପରାଧ ଓ ଅପରାଧିକ କାର୍ଯ୍ୟକଳାପକୁ ରୋକିବାକୁ ବସ୍ତିର ବଛା ବଛା ଯୁବକଙ୍କୁ ପୋଲିସ ମିତ୍ର ନାଁରେ ତାଲିମ ଦେଉଛି ପୋଲିସ । OMCର ସହାୟତାରେ ଅନୁଦାନ ଯୋଗାଡ଼ କରି ନୂଆ ଯୋଜନାକୁ ଆପଣାଇଛି କମିଶନରେଟ ପୋଲିସ । ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ବରର ବିଭିନ୍ନ ବସ୍ତିରେ ୧୦୦ ଜଣ ପୋଲିସ ମିତ୍ରଙ୍କୁ ତାଲିମ ଦେଇ ଯୋଜନାର ଶୁଭାରମ୍ଭ କରିଛନ୍ତି ପୋଲିସ କମିଶନର ଓ ଭୁବନେଶ୍ୱର ଡିସିପି । ଭୁବନେଶ୍ଵରରେ ଅପରାଧ ନିୟନ୍ତ୍ରଣ ଭିଜନ ନେଇ ଏହି ପଦକ୍ଷେପ ନିଆଯାଇଛି । ଅପରାଧ ମୁକ୍ତ ପାଇଁ ଏମାନେ ପୋଲିସକୁ ସହଯୋଗ କରିବେ ।
ବନ୍ଧୁତ୍ବର ହାତ ବଢାଇ ବସ୍ତିରେ ତିଆରି କରିବେ ବନ୍ଧୁତ୍ବର ପରିବେଶ । ବସ୍ତିରେ ନିଶା କାରବାର ଉପରେ ରୋକ ଲଗାଇବା ଏହାର ମୂଳ ଲକ୍ଷ୍ୟ । ଅପରାଧିକ କାର୍ଯର ଷଡ଼ଯନ୍ତ୍ରକାରୀ ଓ ଅପରାଧ କାର୍ଯ୍ୟକଳାପ ଉପରେ ନଜର ରଖିବେ ପୋଲିସ ମିତ୍ର । ପ୍ରାଥମିକ ପର୍ଯ୍ୟାୟରେ 100ଜଣଙ୍କୁ ଗୁରୁମନ୍ତ୍ର ଦେଲେ ପୋଲିସ କମିଶନର ଓ ଭୁବନେଶ୍ଵର ଡିସିପି । ସେମାନଙ୍କୁ ସ୍ୱତନ୍ତ୍ର ଟି-ସାର୍ଟ, ଆଇ କାର୍ଡ ଦେବା ସହ ସାମାଜିକ ଦାୟିତ୍ୱର ତାଲିମ ଦେଇ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହିଭଳି ଭାବରେ ୧ ହଜାର ଜଣ ଯୁବକଙ୍କୁ ତାଲିମ ଦେବାକୁ ଯୋଜନା ହୋଇଛି ।
ହେଲେ କମିଶନରେଟ ପୋଲିସର ଇତିହାସ କହୁଛି ପୂର୍ବରୁ ଅନେକ ପୋଲିସ କମିଶନରଙ୍କ ସମୟରେ ଲାଗୁ ହୋଇଛି ଅନେକ ଯୋଜନା । ହେଲେ ମୁଖିଆ ବଦଳିଲେ ଯୋଜନା ବାଟବଣା ହେଉଛି । ହେଲେ ନା ଏହା ଲୋକଙ୍କ ସ୍ବାର୍ଥରେ ଆସୁଛି ନା ସହରବାସୀ ଏହାଦ୍ବାରା ଉପକୃତ ହେଉଛନ୍ତି । କମିଶନରେଟ ପୋଲିସ ଗଠନର ୧୩ବର୍ଷ ପରେ ବି ସମାନ ଅବସ୍ଥା ଦେଖିବାକୁ ମିଳୁଛି । ରାସ୍ତାରେ ଭାଇଗିରି । କଲୋନୀରେ ଦାଦାଗିରି ଓ ବଟି ଆଦାୟ । ମହିଳା ସୁରକ୍ଷାରେ ବିଫଳ ପୋଲିସ । ମୁଖିଆଙ୍କ ପାଖେ ଅନେକ କାର୍ଯ୍ୟାନୁଷ୍ଠାନ ନେଲା ଭଳି କ୍ଷମତା ଥିଲେ ବି ଏହା କାର୍ଯକାରୀ ହେଉନି ।
ପୂର୍ବତନ ପୋଲିସ କମିଶନରଙ୍କ ସମୟରେ ଲାଗୁ ହୋଇଥିବା ଯୋଜନା ଏବେ କିପରି ବାଟବଣା ହୋଇଛି, ତାହାରି ଉପରେ ନଜର ପକାନ୍ତୁ ।
ପିଙ୍କ୍ ଅଟୋ
ବହୁ ଚର୍ଚ୍ଚିତ ନିର୍ଭୟା ଗଣ ଦୁଷ୍କର୍ମ ଘଟଣା ପରେ ୨୦୧୩ ମସିହା ଜୁନ ୨୭ ତାରିଖରେ ସହରର ମହିଳାଙ୍କ ଯାତ୍ରା ସୁରକ୍ଷିତ ପାଇଁ ଆରମ୍ଭ ହୋଇଥିଲା ପିଙ୍କ ଅଟୋ ସେବା । ୩୦୦ ଅଟୋରେ ପିଙ୍କ୍ ଅଟୋ ଲେଖି କେବଳ ମହିଳାଙ୍କ ସୁରକ୍ଷିତ ଯାତ୍ରା ପାଇଁ ଲାଗୁ ହୋଇଥିଲା ଏହି ସେବା । ତାହା ଏବେ ପୁରା ଅଚଳ ନା ଏଥିପ୍ରତି ଧ୍ୟାନ ଦେଉଛନ୍ତି ଏବେକାର ଅଫିସର ।
ଆଇକ୍ଲିକ ସର୍ଭିସ
୨୦୧୪ ମସିହା ଜାନୁଆରି ୨୮ ତାରିଖରେ ଆଇ କ୍ଲିକ ସର୍ଭିସ ଲାଗୁ ହୋଇଥିଲା । ଏହାଦ୍ବାରା ମହିଳାମାନେ ଏକ ଏଟିଏମ କେନ୍ଦ୍ରକୁ ଯାଇ ଏକ ମେସିନରେ ନିଜ ଅଭିଯୋଗ ଫାଇଲ କରିବା ସୁବିଧା ରହିଥିଲା । ଶହୀଦନଗର ବ୍ୟାଙ୍କ ଅଫ୍ ବରୋଦା ଏଟିଏମ ପରିସରରେ ଏହି ଯୋଜନା ଆରମ୍ଭ ହୋଇଥିଲା । ତାହା ମଧ୍ୟ ଏବେ ଅଚଳ ହୋଇଯାଇଛି ।
ମୋ ସାଥି ଆପ୍
ତତ୍କାଳିନ ପୋଲିସ କମିଶନର ଆର.ପି ଶର୍ମାଙ୍କ ସମୟରେ ଆରମ୍ଭ ହୋଇଥିଲା ମୋ ସାଥି ଆପ ଯୋଜନା । ୨୦୧୫ ମସିହା ମେ' ମାସ ୧୫ ତାରିଖରେ ମହିଳାଙ୍କୁ ତୁରନ୍ତ ସହାୟତା ପାଇଁ ଏହି ଆପ୍ରେ ରହିଥିଲା ଏମରଜେନ୍ସି କଣ୍ଟାକ୍ଟ ସୁବିଧା । ଅର୍ଥାତ ଏହି ଆପ୍ ଇନ୍ଷ୍ଟଲ୍ କଲେ ଯଦି କୌଣସି ସମୟରେ ପୋଲିସ ସହାୟତା ଆବଶ୍ୟକ ପଡ଼େ, ତେବେ ମୋବାଇଲର କୌଣସି ବଟନକୁ ୫ ଥର ପ୍ରେସ୍ କଲେ ପୋଲିସ ସହାୟତା କେନ୍ଦ୍ର କଣ୍ଟ୍ରୋଲ ରୁମକୁ ଏକ କଲ୍ ଆପେଆପେ ଲାଗିଯାଏ । ଫଳରେ ମହିଳାଙ୍କ ଲୋକେସନ ଟ୍ରେସ୍ କରି ସମସ୍ୟାରେ ପଡିଥିବା ମହିଳାକୁ ସହଯୋଗ କରିଥାଏ ପୋଲିସ । ହେଲେ ଏହି ଯୋଜନା ମଧ୍ୟ ବାଟବଣା ହେଲା । ୨୧୯ ବେଳକୁ ସହାୟତା ଆପ୍ ସହ ଯୋଡ଼ି ହୋଇଛି କହି ଏବେ ସେହି ଆପର ଯେଉଁଥିପାଇ ହୋଇଥିଲା ତାହା ସେତେଟା ଫଳପ୍ରଦ ହେଉନି ।