ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗର ଏକ କଲେଜ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲି ହୋଇଥିବା ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷାରେ ନିଆଯାଇଥିବା ବ୍ୟାପକ ପରିବର୍ତ୍ତନଧର୍ମୀ ପଦକ୍ଷେପ ବିଷୟରେ ଆଲୋଚନା କରାଯାଇଥିଲା । ‘‘ନୀତିଶିକ୍ଷା ଓ ମୂଲ୍ୟବୋଧ ତଥା ପରିବେଶ ଶିକ୍ଷା ଓ ବିପର୍ଯ୍ୟୟ ପରିଚାଳନା’’ ଉପରେ ବାଧ୍ୟତାମୂଳକ ବିଷୟ ଶିକ୍ଷା ଆରମ୍ଭ କରାଯାଇଛି । ଛାତ୍ରଛାତ୍ରୀ ମାନଙ୍କର ପାଠ୍ୟ ତଥା ବ୍ୟକ୍ତିଗତ ସମସ୍ୟାର ସମାଧାନ ନିମନ୍ତେ ସମସ୍ତ ଡିଗ୍ରି କଲେଜ୍ ପ୍ରୋକଟୋରିଆଲ୍ ଏବଂ ମେଣ୍ଟରିଂ ପଦ୍ଧତି ଲାଗୁ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ କୁହାଯାଇଥାଲା ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଲକ୍ଷ୍ୟ ହେଉଛି ଓଡ଼ିଶାର ଉଚ୍ଚ ଶିକ୍ଷାକୁ ଏକ ଉଚ୍ଚତର ସୋପାନକୁ ନେବା । ତାଙ୍କର ବରିଷ୍ଠ ଦିଗ୍ଦର୍ଶନରେ ଉଚ୍ଚଶିକ୍ଷା ବିଭାଗ ଅନେକ ପରିବର୍ତ୍ତନଧର୍ମୀ ପଦକ୍ଷେପମାନ ଗ୍ରହଣ କରିଛି । ସମୁଦାୟ ୪୨୫୫ ପଦବୀ ନିମନ୍ତେ ଅର୍ଥ ବିଭାଗର ମଞ୍ଜୁରୀ ନିଆସରିଛି । ଏସ୍ଏସବି ଓ ଓପିଏସ୍ସିଙ୍କୁ ସୁପାରିଶ କରାଯାଇଛି । ସେଥିରୁ ୨୦୮ ପଦବୀ ପୂରଣ ସରିଥିବା ବେଳେ ଅନ୍ୟଗୁଡ଼ିକ ପାଇଁ ପ୍ରକ୍ରିୟା ଚାଲୁରହିଛି । ୨୦୧୯-୨୦ ବର୍ଷରୁ ୨୦୨୧-୨୨ ବର୍ଷ ମଧ୍ୟରେ ୧୭୮୧ ଜଣ ଅଧ୍ୟାପକଙ୍କ ନିଯୁକ୍ତି ପ୍ରକ୍ରିୟା ଏସ୍ଏସବି ମାଧ୍ୟମରେ ସମ୍ପୂର୍ଣ୍ଣ ହୋଇଛି । ୪୭୫ ଜଣଙ୍କର ନିଯୁକ୍ତି ପ୍ରକ୍ରିୟା ଚାଲୁରହିଛି, ୯୮୫ ଜଣ ବି.ଏଡ ଶିକ୍ଷକଙ୍କର ନିଯୁକ୍ତି ପ୍ରକ୍ରିୟା ଓ.ପି.ଏସ.ସି ମାଧ୍ୟମରେ ଚାଲିଛି । ୫୧ଟି ସରକାରୀ କଲେଜରେ ଖାଲି ଥିବା ୬୦୬ ଅଧ୍ୟାପକ ପଦବୀରୁ ଓପିଏସସି ମାଧ୍ୟମରେ ୮୫୦ ପଦବୀ ପୂରଣ ହୋଇସାରିଥିବା ବେଳେ ଅନ୍ୟ ଗୁଡ଼ିକର ପ୍ରକ୍ରିୟା ଚାଲୁରହିଛି ।