ଭୁବନେଶ୍ବର: ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ବିପୁଳ ଆର୍ଥିକ ହେରଫେର ପ୍ରସଙ୍ଗରେ ତତ୍କାଳୀନ ମ୍ୟାନେଜମେଣ୍ଟ ଇନଚାର୍ଜ ବିଷ୍ଣୁପଦ ସେଠୀଙ୍କୁ ରିପୋର୍ଟ ମାଗିଛି ଲୋକାୟୁକ୍ତ । ତାଙ୍କ ବିରୋଧରେ ବ୍ୟାପକ ଦୁର୍ନୀତି ଅଭିଯୋଗ ନେଇ ଲୋକାୟୁକ୍ତରେ ଫେରାଦ ହୋଇଥିଲା ସୂଚନା ଅଧିକାର ଅଭିଯାନ ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର ନାବାର୍ଡ ତଥ୍ୟ ଆଧାରରେ ପାଖାପାଖି ୬୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଆର୍ଥିକ ଅନିୟମିତତାରେ ବିଷ୍ଣୁପଦ ସେଠୀଙ୍କ ସମ୍ପୃକ୍ତ ଥିବା ନେଇ ସୂଚନା ଅଧିକାର ଅଭିଯାନର ସଂଯୋଜକ ପ୍ରଦୀପ ପ୍ରଧାନ ଅଭିଯୋଗ କରିଛନ୍ତି । ବିନା ଟେଣ୍ଡରରେ କମ୍ପ୍ୟୁଟର କିଣା, ହାଇଦ୍ରାବାଦର ଭିସଫ୍ଟ କମ୍ପାନୀକୁ ଟେଣ୍ଡର ଦେବା ଭଳି ଘଟଣାରେ ତାଙ୍କର ସମ୍ପୃକ୍ତି ରହିଛି ।
ସୂଚନାନୁସାରେ, ଗତ ଜୁଲାଇ 1 ତାରିଖରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ବ୍ୟାପକ ଆର୍ଥିକ ଅନିୟମିତତା ନେଇ ଲୋକାୟୁକ୍ତ ନିକଟରେ ସୂଚନା ଅଧିକାର ଅଭିଯାନ ଲିଖିତ ଅଭିଯୋଗ କରିଥିଲା । ଯାହାର ଜବାବ ଦାଖଲ କରିବାକୁ ନୋଟିସ ଜାରି କରିଛନ୍ତି ଲୋକାୟୁକ୍ତ । ଅଗଷ୍ଟ ୧୯ ତାରିଖରେ ଏହାର ପୂର୍ଣ୍ଣାଙ୍ଗ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି । ତେବେ ବିଷ୍ଣୁପଦ ସେଠୀ ଓ ତତ୍କାଳୀନ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତୁଷାର କାନ୍ତି ପଣ୍ଡାଙ୍କ ନାଁରେ କୋଟି କୋଟି ଟଙ୍କାର ଆର୍ଥିକ ହରିଲୁଟ ନେଇ ନାବାର୍ଡ ରିପୋର୍ଟରେ ଦର୍ଶାଯାଇଛି ବୋଲି ପ୍ରଦୀପ ପ୍ରଧାନ କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାଏ, ଇଟିଭି ଭାରତ