ଭୁବନେଶ୍ବର: ଓଡ଼ିଶାରେ ଶିଳ୍ପାୟନ ନେଇ ରାଜ୍ୟ ସରକରଙ୍କ ଉଦ୍ୟମ । ଦେଶ ବିଦେଶୀର ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଯୋଜିତ ହେଉଛି ଇନଭେଷ୍ଟର୍ସ ମିଟ । ଆଜି ସନ୍ଧ୍ୟାରେ ଦିଲ୍ଲୀରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ । ଏହି ଇନଭେଷ୍ଟର୍ସ ମିଟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହେବେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠାରୁ ୬ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ 16 ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।
ଆସନ୍ତା ନଭେମ୍ବର 30ରୁ ଡିସେମ୍ବର 4 ପର୍ଯ୍ୟନ୍ତ ଭୁବନେଶ୍ବରରେ ଅନୁଷ୍ଠିତ ହେବ ତୃତୀୟ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ । ସମ୍ମିଳନୀକୁ ସଫଳ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଏହି ସମ୍ମିଳନୀକୁ ବିଭିନ୍ନ ଦେଶର ନିବେଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ଆଜି ସ୍ବତନ୍ତ୍ର ସମାବେଶର ଆୟୋଜନ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 16ଟି ଦେଶର ରାଷ୍ଟ୍ରଦୂତଙ୍କୁ ଭେଟି ଓଡ଼ିଶାରେ ନିବେଶ କରିବାକୁ ଆମନ୍ତ୍ରଣ କରିବେ ।
ଏହା ମଧ୍ୟ ପଢନ୍ତୁ:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ
16ଟି ଦେଶ ହେଲେ ଆମେରିକା, ବ୍ରିଟେନ, ଜାପାନ, ଲକ୍ସମ୍ବର୍ଗ, ଜର୍ମାନୀ, ଫ୍ରାନ୍ସ, ଇଟାଲି,ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ, ବାହାରିନ, ସିଂଗାପୁର, ବେଲଜିୟମ, ଓମାନ, କାତାର ଓ ୟୁଏଇ । ମୁଖ୍ୟମନ୍ତ୍ରୀ 16ଟି ଦେଶର ରାଷ୍ଟ୍ରଦୂତଙ୍କୁ ଭେଟି ଆଲୋଚନା କରିବା ପରେ ଶିଳ୍ପପତିମାନଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆଯୋଜିତ ଏହି ସମାବେଶରେ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ସଂପର୍କରେ ଆଲୋଚନା କରିବେ ନବୀନ । ଏହି ଆଲୋଚନା ବେଳେ ଓଡ଼ିଶାରେ ବ୍ୟବସାୟ ବାତାବରଣକୁ ସରଳ କରିବାକୁ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶିଳ୍ପପତିମାନଙ୍କୁ ମେକ ଇନ ଓଡିଶା ସମ୍ମିଳନୀକୁ ଆମନ୍ତ୍ରଣ କରିବେ । ଏହି କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ସଚିବ ହେମନ୍ତ କୁମାର ଶର୍ମାଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ସାମିଲ ହେବେ ।
ମୁଖ୍ୟମନ୍ତ୍ରୀଙ୍କ ଏହି ୬ଦିନିଆ ଦିଲ୍ଲୀଗସ୍ତ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ନେଇ ସ୍ଥିର କରାଯାଇଛି । ଆସନ୍ତା ୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିବ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ । ଉଲ୍ଲେଖନୀୟ ନେତୃତ୍ବ ପାଇଁ ନବୀନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ଦିଲ୍ଲୀର କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଏନ.ଭି ରମଣା ଏହି ସମ୍ମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିବେ । ଏହି ସମ୍ମାନ ପ୍ରଦାନ ଉତ୍ସବରେ ଜଷ୍ଟିସ ଏ.କେ ପଟ୍ଟନାୟକ ଉପସ୍ଥିତ ରହିବେ । ଏନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି ।
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତ ଅବସରରେ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।
ଇଟିଭି ଭାରତ, ଭୁବନେଶ୍ବର