ଓଡିଶା

odisha

ETV Bharat / city

ରାଉରକେଲାରେ ସର୍ବବୃହତ ହକି ଷ୍ଟାଡିୟମର ଶିଳାନ୍ୟାସ, ବିର୍ସା ମୁଣ୍ଡାଙ୍କ ନାମରେ ନାମିତ

ରାଉରକେଲାରେ ଆନ୍ତର୍ଜାତୀୟ ମାନର ହକି ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

By

Published : Feb 16, 2021, 1:45 PM IST

ହକି ଷ୍ଟାଡିୟମ
ହକି ଷ୍ଟାଡିୟମ

ଭୁବନେଶ୍ବର: ରାଉରକେଲାରେ ଆନ୍ତର୍ଜାତିକ ମାନର ହକି ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଷ୍ଟାଡିୟମକୁ ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରୀପଞ୍ଚମୀରେ 2023 ପୁରୁଷ ବିଶ୍ବକପ୍‌ ହକି ପାଇଁ ପ୍ରସ୍ତୁତିର ଶୁଭାରମ୍ଭ କରିଛନ୍ତି ନବୀନ ପଟ୍ଟନାୟକ ।

ହକି ଷ୍ଟାଡିୟମ

ଆଜି ଦିନିକିଆ ସୁନ୍ଦରଗଡ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ 4915 ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ରାଉରକେଲା ଠାରେ 2023ପୁରୁଷ ବିଶ୍ବକପ୍‌ ହକି ଆୟୋଜନକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ସେଠାରେ ଆନ୍ତର୍ଜାତୀୟ ମାନର ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି । ଏହି ନୂତନ ଷ୍ଟାଡିଅମ ବିଶିଷ୍ଟ ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କରାଗଲା ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଏହି ଷ୍ଟାଡିୟମର ଦେଶର ସବୁଠାରୁ ବଡ ହକି ଷ୍ଟାଡିୟମ ହେବ । ଏହି ଷ୍ଟାଡିୟମ ଯୁବ ସମାଜ ମଧ୍ୟରେ ପ୍ରେରଣା ସୃଷ୍ଟି କରିବା ସହିତ ବଡ ବଡ ସ୍ବପ୍ନ ଦେଖିବା ଓ ବଡ ବଡ କାମ କରିବା ପାଇଁ ଉତ୍ସାହ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ହକି ଷ୍ଟାଡିୟମ

ରାଉରକେଲା ସହିତ ବିଜୁବାବୁଙ୍କର ସମ୍ପର୍କ ବିଷୟ ମଧ୍ୟ ଏଠାରେ ମନେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ । ରାଉରକେଲାର ଷ୍ଟିଲ ପ୍ଲାଣ୍ଟ ଠାରୁ ଆରମ୍ଭ କରି ଏନଆଇଟି ପର୍ଯ୍ୟନ୍ତ ସବୁଥିରେ ବିଜୁବାବୁଙ୍କ ସ୍ମୃତି ଭରି ରହିଛି ବୋଲି ସେ କହିଛନ୍ତି। ରାଉରକେଲାକୁ ଆଶାର ସହର –City of Hopes ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି,‘ଯେ କେବଳ ଓଡିଶା ନୁହେଁ, ଆଖପାଖ ରାଜ୍ୟର ଲୋକମାନେ ମଧ୍ୟ ଜୀବିକା ପାଇଁ ରାଉରକେଲାକୁ ଆସିଥାନ୍ତି ।’

ସେହିପରି ସୁନ୍ଦରଗଡ ଜିଲ୍ଲାର ମିଶନ ଶକ୍ତିର ମା’ ମାନଙ୍କୁ ସେମାନଙ୍କର ବିକାଶ କାମରେ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ବାଲିଶଙ୍କରାର ଜୟନ୍ତୀ ଏକ୍କା କିପରି ଭୁବନେଶ୍ବରର ମେକ୍‌-ଇନ୍‌-ଓଡିଶା କନ୍‌କ୍ଲେଭରେ ତାଙ୍କର ଉଦ୍‌ଯୋଗ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ସେ ବିଷୟ ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହ ଜୟନ୍ତୀଙ୍କ ନେତୃତ୍ବର ଉଚ୍ଚପ୍ରଶଂସା କରିଛନ୍ତି ।

ଜନଜାତିର ପିଲାମାନଙ୍କ ଶିକ୍ଷା ସୁବିଧା ସହିତ ଜନଜାତି ସଂସ୍କୃତିର ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହ ମୁଣ୍ଡାରି ଓ ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ପୁଣି ଥରେ ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, 2000 ମସିହାରେ ରାଜ୍ୟର ଯୋଜନା ବଜେଟ ମାତ୍ର 2800 କୋଟି ଥିବାବେଳେ, ଆଜି କେବଳ ସୁନ୍ଦରଗଡ ଜିଲ୍ଲା ପାଇଁ ପାଞ୍ଚ ହଜାର କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନେକ ମନ୍ତ୍ରୀ, ସାଂସଦ ଓ ବିଧାୟକ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details