ଭୁବନେଶ୍ବର: ଟିକା ପାଇଁ ନବୀନଙ୍କ ପ୍ରେସର ଟାକ୍ଟିସ । କେନ୍ଦ୍ର ସରକାରଙ୍କ ଲାଗି ଅଡୁଆ ପରିସ୍ଥିତି ସୃଷ୍ଟି କରୁଥିବା ନେତାଙ୍କୁ ସାଙ୍ଗରେ ନେଇ ନବୀନ ଖୋଲିଛନ୍ତି କେନ୍ଦ୍ର ବିରୋଧୀ ମୋର୍ଚ୍ଚା । ଗ୍ଲୋବାଲ ଟେଣ୍ଡରିଂ ନେଇ କେନ୍ଦ୍ରର ଗ୍ରୀନ ସିଗନାଲ ପରେ ବି ଟିକା ମିଳିବାରେ ବିଫଳ ହେବା ପରେ ନବୀନ ଖେଳିଛନ୍ତି ମାଷ୍ଟର କାର୍ଡ । ସବୁବେଳେ କେନ୍ଦ୍ର ସହ ସମନ୍ୱୟ ରକ୍ଷା କରି ରାଜ୍ୟର ସ୍ୱାର୍ଥ ହାସଲ କରିବାକୁ ଚେଷ୍ଟା କରୁଥିବା ନବୀନ ନୂଆ ରଣନୀତି କେନ୍ଦ୍ର ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି ହୋଇଛି ।
ସଠିକ ସମୟରେ ସଠିକ ନିଷ୍ପତ୍ତି ନେବାରେ ଏବଂ ବିପର୍ଯ୍ୟୟ ମୁକାବିଲା ହେଉ ପ୍ରଶାସନକୁ ପରିଚାଳନାରେ ସବୁଥିରେ ସିଦ୍ଧହସ୍ତ ନବୀନ ପଟ୍ଟନାୟକ । ଯେତେବେଳେ ରାଜ୍ୟର ସ୍ୱାର୍ଥ ସାମ୍ନାକୁ ଆସେ ସେତେବେଳେ ନବୀନ ଖେଳନ୍ତି ନିଜର ମାଷ୍ଟର ଷ୍ଟ୍ରୋକ । ଟିକାକୁ ନେଇ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ମଧ୍ୟରେ ଆରମ୍ଭ ହୋଇଛି ଦ୍ଵନ୍ଦ । ଏହି ସମୟରେ ରାଜ୍ୟର ସ୍ୱାର୍ଥ ହାସଲ ନେଇ ରଣନୀତି ପ୍ରସ୍ତୁତ କରିଛନ୍ତି ନବୀନ ।
କେନ୍ଦ୍ର-ବଙ୍ଗ ବିବାଦ କାହାକୁ ଅଛପା ନାହିଁ । ଯାହାକୁ ନେଇ ବ୍ୟାକଫୁଟରେ ଅଛନ୍ତି କେନ୍ଦ୍ର ସରକାର । ମମତା ହୁଅନ୍ତୁ ଅବା ଅରବିନ୍ଦ, ଉଦ୍ଧବ ହୁଅନ୍ତୁ ଅବା ଷ୍ଟେଲିନ ବିଭିନ୍ନ ପ୍ରସଙ୍ଗରେ ଏମାନେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବର୍ଷିଛନ୍ତି । ସେପଟେ ଅଦୃଶ୍ୟ ଭାବେ ଏମାନଙ୍କୁ ସାଥିରେ ନେଇଛନ୍ତି ନବୀନ ପଟ୍ଟନାୟକ । ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ବୁଧବାର ନବୀନ ଲେଖିଥିବା ଚିଠି ଏହା ହିଁ ଦର୍ଶାଇଛି । ବିପର୍ଯ୍ୟୟରୁ ମୁକୁଳିବା ଲାଗି ସବୁ ରାଜ୍ୟ ଏକତ୍ର ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଜଣାଇଛନ୍ତି । ବିପର୍ଯ୍ୟୟ ସମୟରେ ସବୁଠୁ ବଡ଼ ନେତା ଭାବେ ସାମ୍ନାକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁ ରାଜ୍ୟକୁ ଏକତ୍ର କରି ନିଜ ନିଜ ରାଜ୍ୟ ଲାଗି ଟିକା ଆଣିବା ପାଇଁ ସେ ପ୍ରୟାସ ଆରମ୍ଭ କରିଛନ୍ତି । ଯେତେବେଳେ ନିଜ ଜୀବନ ବଞ୍ଚେଇବା କଥା ଆସିଛି ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କେନ୍ଦ୍ର ବିରୋଧୀ ରଣନୀତି ସାମ୍ନାକୁ ଆସିଛି ।