ଭୁବନେଶ୍ବର: କେବଳ ଜନସାଧାରଣଙ୍କ ସନ୍ତୋଷ ନୁହେଁ, ନିରନ୍ତର ଉତ୍ତମ ସେବା ହେଉଛି ଆମର ଲକ୍ଷ୍ୟ । ତେଣୁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଆମ ସମସ୍ତଙ୍କୁ କ୍ରମାଗତ ଭାବରେ ପରିବତ୍ତନ କରିବାକୁ ହେବ । ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନିକ ଅଧିକାରୀଙ୍କୁ ଏହି ବାର୍ତ୍ତା ପ୍ରଦାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୋ ସରକାର କାର୍ଯ୍ୟକ୍ରମ ଦୁଇ ବର୍ଷ ଧରି ଆରମ୍ଭ ହୋଇଛି । ପ୍ରଶାସନିକ ସ୍ତରରେ ସରକାରଙ୍କ ଏହି ରୂପାନ୍ତର ଉଦ୍ୟମ ଜନସାଧାରଣଙ୍କ ମଧ୍ୟରେ ସରକାରଙ୍କ ସପକ୍ଷରେ ବିଶ୍ବାସ ସୃଷ୍ଟି କରିପାରିଛି । ଏହି ପ୍ରକ୍ରିୟା ବର୍ତ୍ତମାନ ରାଜ୍ୟ ସରକାରଙ୍କ ବିଭିନ୍ନ ପଦାଧିକାରୀ ଓ କର୍ମଚାରୀ ମାନଙ୍କ ମଧ୍ୟରେ ବ୍ୟବହାରିକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛି । ସରକାରୀ ଅଧିକାରୀଙ୍କ ମଧ୍ୟରେ ବୃତ୍ତିଗତ ବ୍ୟବହାର ଆଣିବା ପାଇଁ ରାଜ୍ୟ ସରକାରଙ୍କ କ୍ରମାଗତ ଉଦ୍ୟମ ସଫଳ ହୋଇଛି । ମୁଖ୍ୟମନ୍ତ୍ରୀ ଏଥିପାଇଁ ଖୁସିବ୍ୟକ୍ତ କରିଛନ୍ତି । ସରକାରୀ ଅଧିକାରୀମାନେ ଏବେ ଜନସାଧାରଣଙ୍କ ସହିତ ଅଧିକ ଦାୟିତ୍ବସମ୍ପନ୍ନ ତଥା ସହୃଦୟତାର ସହ ବ୍ୟବହାର କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୋ ସରକାରରୁ ମିଳିଥିବା ଫିଡ୍ବ୍ୟାକ୍ ଅନୁଯାୟୀ ସରକାରଙ୍କ ଅନେକ ବିଭାଗ ଭଲ ପ୍ରଦର୍ଶନ କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ସବୁ କାର୍ଯ୍ୟକ୍ରମ ଓ ସେବା ମୋ ସରକାର କାର୍ଯ୍ୟକ୍ରମର ଲକ୍ଷ୍ୟ ଅନୁଯାୟୀ ଯେପରି ସର୍ବୋତ୍ତମ ଭାବେ କାର୍ଯ୍ୟ କରିବ, ସେଥିପାଇଁ ଧ୍ୟାନ ଦେବା ପାଇଁ ସମୟ ଆସିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିପାଇଁ ନାଗରିକ ମାନଙ୍କ ଡାଟାବେସ୍କୁ ସବୁ ସମୟରେ ନବୀକୃତ କରିବା ଜରୁରୀ ବୋଲି ସେ କହିଛନ୍ତି । ଏହା ଆମର ଦୁର୍ନୀତି ପ୍ରତି ଶୂନ୍ୟ ସହିଷ୍ଣୁତା ନୀତିକୁ ସୁନିଶ୍ଚିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।