ନୂଆଦିଲ୍ଲୀ: ମଙ୍ଗଳବାର ସଂସଦରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ତ୍ତମାନେ ସେ ତିନି ଦିନିଆ ଦିଲ୍ଲୀ ଗସ୍ତରେ ରହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଗାମୀ ରାଷ୍ଟ୍ରପତି ନିର୍ବାଚନକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ।
ମୁଖ୍ୟମନ୍ତ୍ରୀ ସଂସଦରେ ଥିବା ବେଳେ ଜଣେ ସାମ୍ବାଦିକ ତାଙ୍କୁ ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିଜେଡିର ଆଭିମୁଖ୍ୟ କଣ ବୋଲି ପ୍ରଶ୍ନ କରିଥିଲେ । ଏହି ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, "ରାଷ୍ଟ୍ରପତି ନିର୍ବାଚନ ପାଇଁ ଆହୁରି ସମୟ ଅଛି । ଏଥିପାଇଁ ବର୍ତ୍ତମାନ ଏହାକୁ ନେଇ କିଛି କୁହାଯାଇ ପାରିବ ନାହିଁ ।"
Naveen Patnaik Visits Parliament: BJD ସଂସଦୀୟ ଟିମକୁ ଭେଟିଲେ ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତି ନିର୍ବାଚନ ନେଇ ରଖିଲେ ପ୍ରତିକ୍ରିୟା ଖାଲି ସେତିକି ନୁହେଁ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଣବେଜେପି ଶାସିତ ରାଜ୍ୟଗୁଡ଼ିକର ନେତାଙ୍କୁ ନେଇ ବଜେପି ବିପକ୍ଷରେ ଛିଡ଼ା ହେବାକୁ ବିଭିନ୍ନ ରାଜ୍ୟକୁ ଚିଠି ଲେଖୁଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଏଭଳି କୌଣସି ଚିଠି ବିଜେଡି ସୁପ୍ରିମୋ ପାଇ ନାହାନ୍ତି । ଏହାକୁ ନେଇ ସେ ସଂସଦ ଭବନରେ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, "ବର୍ତ୍ତମାନ ଆମେ କେବଳ ଆମ ରାଜ୍ୟର ଉନ୍ନତି କଥା ଚିନ୍ତା କରୁଛୁ । ଏହା ହିଁ ଆମ ଦଳର ମୁଖ୍ୟ ଲକ୍ଷ୍ୟ ।"
ମଙ୍ଗଳବାର ସଂସଦକୁ ଯାଇ ବିଜେଡି ସଂସଦ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି ନବୀନ । ଗତକାଲି ସେ ଦିଲ୍ଲୀରେ ପହଞ୍ଚି ଏକ କ୍ରୀଡ଼ା ସମ୍ମିଳନୀରେ ଯୋଗ ଦେଇଥିଲେ । ଏହି ଅବସରରେ ସେ ସେଠାରେ ଜାତୀୟ ମହିଳା ଦଳର ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଆଜି କିଛି କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଭେଟି ପାରନ୍ତି । ରାଜ୍ୟର କଛି ବକେୟା ଅନୁଦାନ ବା କାର୍ଯ୍ୟକୁ ନେଇ ସେ ଆଲୋଚନା କରି ପାରନ୍ତି ।
ଏହାରି ମଧ୍ୟରେ ବିଜେଡି ସାଂସଦ ପ୍ରମଳା ବିଷୋୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ ଦେଉଥିବାର ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ସାଂସଦ ପ୍ରମିଳା ବିଷୋୟୀ ବିଜେଡି ସୁପ୍ରିମୋଙ୍କୁ ସମ୍ମାନ ଓ ଆଦର କରୁଥିବା ଏଥିରେ ଦେଖିବାକୁ ମିଳୁଛି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ସାଂସଦମାନେ ମଧ୍ୟ ଅନେକ ଫଟୋରେ ନଜର ଆସୁଛନ୍ତି ।
Naveen Patnaik Visits Parliament: BJD ସଂସଦୀୟ ଟିମକୁ ଭେଟିଲେ ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତି ନିର୍ବାଚନ ନେଇ ରଖିଲେ ପ୍ରତିକ୍ରିୟା
ଦଳର ସାଂସଦମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତର ଦ୍ଵିତୀୟ ଦିନରେ ଆଜି ବିଜେଡି ସଂସଦୀୟ ଦଳ ବୈଠକରେ ଯୋଗ ଦେଇଛନ୍ତି ନବୀନ । ସଂସଦୀୟ ଦଳ ବୈଠକରେ ଯୋଗ ଦେଇ ରାଜ୍ୟ ସ୍ୱାର୍ଥ ରକ୍ଷା ପାଇଁ ଦାବି ଉଠାଇବାକୁ ପରାମର୍ଶ ଦେଇଛନ୍ତି । ସଂସଦର ବିଜେଡି କାର୍ଯ୍ୟାଳୟରେ ବସିଥିଲା ସଂସଦୀୟ ଦଳ ବୈଠକ । ରାଜ୍ୟର ସ୍ୱାର୍ଥକୁ ନେଇ ଦଳୀୟ ସାଂସଦଙ୍କ ସହ ସେ ଆଲୋଚନା କରିଛନ୍ତି । ରାଜ୍ୟର ଦାବିକୁ ସଂସଦର ଉଭୟ ଗୃହରେ ଉପସ୍ଥାପନ ପାଇଁ ସେ ସାଂସଦମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ।ବୈଠକରେ ସାଂସଦ ପିନାକୀ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ଅମର ପଟ୍ଟନାୟକ, ମୁନା ଖାଁ, ସସ୍ମିତ ପତ୍ର, ପ୍ରମିଳା ବିଷୋୟୀ, ସୁଜିତ କୁମାର, ଭର୍ତୃହରି ମହତାବ, ଅନୁଭବ ମହାନ୍ତି, ମହେଶ ସାହୁ, ଚନ୍ଦ୍ରଶେଖର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଦାବିକୁ ନେଇ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟରୁ ବଳକା ଉଷୁନା ଚାଉଳ ଉଠାଣ, ଆବାସ ଯୋଜନାରେ ଘର ଯୋଗାଣ, କୋଇଲା ରୟାଲଟିରେ ରାଜ୍ୟଭାଗ ବୃଦ୍ଧି ଓ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ କେନ୍ଦ୍ରର ସହଯାେଗ ନେଇ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ ନବୀନ । ବକେୟା ଧାନ କ୍ରୟ ବାବଦ ରିହାତି, ଜିଏସଟି ବାବଦ ବକେୟା ଦେୟ, ଦୁର୍ଗମ ଅଞ୍ଚଳରେ ଟେଲିଫୋନ ସେବା, ବ୍ୟାଙ୍କ ନଥିବା ପଞ୍ଚାୟତରେ ବ୍ୟାଙ୍କ ଶାଖା ଖୋଲିବା ଆଦି ପ୍ରସଙ୍ଗରେ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ବୋଲି ଜଣାପଡିଛି ।
ବ୍ୟୁରୋ ରିପୋର୍ଟ ଓ ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ