ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି(ଶୁକ୍ରବାର) ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମି, ତରଳ ଅକ୍ସିଜେନ ପ୍ଲାଣ୍ଟ ଓ ଅକ୍ସିଜେନ ଉତ୍ପାଦନ ବ୍ୟବସ୍ଥା ଭିତ୍ତିପ୍ରସ୍ତର ରଖିବା ସହିତ ଅନ୍ୟାନ୍ୟ ଭିତ୍ତିଭୂମିର ଉଦ୍ଘାଟନ କରିଛନ୍ତି । ତୃତୀୟ ଲହରୀର ମୁକାବିଲା କରିବା ପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ଏହି ଭିଡିଓ କନଫରେନ୍ସିଂ ଜରିଆରେ ପରାମର୍ଶ ଦେଇଛନ୍ତି ।
ସ୍ବାସ୍ଥ୍ୟ ଭିତ୍ତିଭୂମି ସ୍ଥାପନ ହୋଇଥିବା 8ଟି ଜିଲ୍ଲାଗୁଡିକ ହେଉଛି ଝାରସୁଗୁଡା, ଭଦ୍ରକ, ଜଗତସିଂହପୁର, ପୁରୀ, ସୋନପୁର, ନୟାଗଡ, ସୁନ୍ଦରଗଡ ଏବଂ ମୟୂରଭଞ୍ଜ । ରାଜ୍ୟରେ ୨୦ଟି ଚାପ ଅବଶୋଷଣ ପ୍ରଣାଳୀରେ ଅକ୍ସିଜେନ ଉତ୍ପାଦନ ବ୍ୟବସ୍ଥା କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଜୁନ୍ ୯ ତାରିଖରେ ୭ଟି ଓ ଆଜି ୮ଟି PSA Plantର ଭିତ୍ତିପ୍ରସ୍ତର ରଖାଯାଇଛି । ଏହି ୨୦ଟି PSA Plant ଦ୍ବାରା ମିନିଟ୍ ପ୍ରତି ୨୪ ହଜାର ଲିଟର ମେଡିକାଲ ଅକ୍ସିଜେନ ଉତ୍ପାଦିତ ହୋଇପାରିବ ।
ବର୍ତ୍ତମାନ ରାଜ୍ୟରେ କୋଭିଡ ପରିସ୍ଥିତିରେ ଯଥେଷ୍ଟ ଉନ୍ନତି ଆସିଛି । ତଥାପି ଆମକୁ ଆହୁରି ସାବଧାନ ହେବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରିଛନ୍ତି । ତୃତୀୟ ଲହର ପାଇଁ କେତେକ ରାଜ୍ୟରେ ବିଶେଷଜ୍ଞମାନେ ସତର୍କ ସୂଚନା ଦେଇଛନ୍ତି ବୋଲି ପ୍ରକାଶ କରି ଆମ ରାଜ୍ୟରେ ଏଥିପାଇଁ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାସହିତ ଡବଲ ମାସ୍କ ପିନ୍ଧିବା ସହିତ ଟିକା ନିଶ୍ଚିତ ଭାବରେ ନେବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।
ଗତ 1 ବର୍ଷରୁ ଅଧିକ ସମୟ ଧରି କୋରୋନା ବିରୁଦ୍ଧରେ ଲଢେଇ ଜାରି ରହିଛି । ଏପ୍ରିଲରୁ ଆରମ୍ଭ ହୋଇଥିବା ଦ୍ବିତୀୟ ଲହରରେ ରୋଗୀଙ୍କ ଅକ୍ସିଜେନ ସ୍ତର କମିବା ଏକ ବଡ ସମସ୍ୟା ହୋଇ ଦେଖାଦେଇଛି । ତେଣୁ ଆମର ସମସ୍ତ ହସ୍ପିଟାଲରେ ଅକ୍ସିଜେନ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।