ଓଡିଶା

odisha

୨୨୩୪.୨୯ କୋଟି ଶିଳ୍ପ ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ପ୍ରାୟ 3 ହଜାରଙ୍କୁ ମିଳିବ ନିଯୁକ୍ତି

By

Published : Jan 11, 2022, 6:48 AM IST

Updated : Jan 11, 2022, 9:43 AM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨ ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ କରିବା ସହ ୧୦ଟି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି । ୨୨୩୪.୨୯ କୋଟି ହେବ ଖର୍ଚ୍ଚ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀ ଦ୍ୱାରା ୨୨୩୪.୨୯ କୋଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପିତ ଏବଂ ଉଦଘାଟିତ
ମୁଖ୍ୟମନ୍ତ୍ରୀ ଦ୍ୱାରା ୨୨୩୪.୨୯ କୋଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପିତ ଏବଂ ଉଦଘାଟିତ

ଭୁବନେଶ୍ବର: ରାଜ୍ୟର ଶିଳ୍ପ ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨ ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ କରିବା ସହ ୧୦ଟି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପଗୁଡିକରେ ଏକ ଲଜିଷ୍ଟିକ୍ ପାର୍କ, ୨-ଇଥାନଲ୍ ପ୍ଲାଣ୍ଟ, ଏକ ଇସ୍ପାତ ସମ୍ପ୍ରସାରଣ ପ୍ରକଳ୍ପ, ଏକ ସିମେଣ୍ଟ ଉତ୍ପାଦନ ୟୁନିଟ୍ ଏବଂ ପଞ୍ଚ ତାରକା ରିସର୍ଟ ଅନ୍ତର୍ଭୁକ୍ତ ।

ଏହି ବିବିଧ ତଥା ନିଯୁକ୍ତି-ସମ୍ବଳିତ ପ୍ରକଳ୍ପଗୁଡିକ ରାଜ୍ୟରେ ୨୫୮୦ ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ସୃଷ୍ଟି କରିବ । ଏହି ପ୍ରକଳ୍ପଗୁଡିକୁ ପ୍ରୋତ୍ସାହିତ କରୁଥିବା କମ୍ପାନୀ ମଧ୍ୟରେ ଟାଟା ଷ୍ଟିଲ୍ସ, ସ୍ୱସ୍ତି ପ୍ରିମିୟମ୍, ଗ୍ରୀନ୍ ଟେକ ବାୟୋ ଏନର୍ଜୀ ଏବଂ କୋଷ୍ଟାଲ୍ ବାୟୋଟେକ୍ ଅନ୍ତର୍ଭୁକ୍ତ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କର୍ପୋରେଟ ବନ୍ଧୁ ଏବଂ ଓଡିଶା ସରକାରଙ୍କ ପ୍ରଚେଷ୍ଟା ଯୋଗୁଁ କୋଭିଡ ସହ ଲଢେଇ ଜାରି ରହିବା ସହ ଶିଳ୍ପ ସମୃଦ୍ଧ ଓଡିଶା ନିର୍ମାଣରେ ମଧ୍ୟ ଆମର ଉଦ୍ୟମ ଜାରି ରହିଛି । ଓଡିଶା ପୂର୍ବ ଭାରତର ଉତ୍ପାଦନ ହବ ଭାବରେ ଦ୍ରୁତ ଗତିରେ ଉଭା ହେଉଛି । ୫-ଟିର ମୂଳ ପାଞ୍ଚ ଉଦ୍ଦେଶ୍ୟ ସ୍ୱଚ୍ଛତା, ପ୍ରଯୁକ୍ତିବିଦ୍ୟା, ଦଳକାର୍ଯ୍ୟ, ସମୟ ଏବଂ ପରିବର୍ତ୍ତନ ଉପରେ ଉପରେ ଧ୍ୟାନ ଦେଇ ନିବେଶକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । ଏହା ମୂଲ୍ୟ ଯୋଗ, ସ୍ଥାୟୀ ନିଯୁକ୍ତି ଉତ୍ପାଦନ ଏବଂ ରାଜ୍ୟରେ ରାଜସ୍ୱ ବୃଦ୍ଧିର ଏକ ଶିଳ୍ପ-ନେତୃତ୍ୱାଧୀନ ପରିବେଶ ସୃଷ୍ଟି କରିଛି । କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ କମ୍ପାନୀକୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।


ଶିଳ୍ପ ପୁଞ୍ଜି ବିନିଯୋଗକୁ ସୁଗମ କରିବା ସହ ନିଯୁକ୍ତି ଭିତ୍ତିକ କ୍ଷେତ୍ରକୁ ଆକର୍ଷିତ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି ଶକ୍ତି, ଶିଳ୍ପ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ଓଡ଼ିଶା ଏକ ଶିଳ୍ପସଂସ୍ଥା ପ୍ରତିଷ୍ଠା ଏବଂ ଅଭିବୃଦ୍ଧି ଅନୁକୂଳ ରାଜ୍ୟ ଏବଂ ଆମ ସରକାର ଉତ୍ପାଦନ କ୍ଷେତ୍ରର ଅଭିବୃଦ୍ଧି ପାଇଁ ପ୍ରତିବଦ୍ଧ ।

ଆମେ ଓଡିଶାକୁ ଏକ ଉତ୍ପାଦନ ଶକ୍ତି ରୂପେ ଗଢି ତୋଳିବାକୁ କରିବାକୁ ଲକ୍ଷ୍ୟ ରଖିଛୁ । ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ରାଜ୍ୟ ସରକାର ନୂତନ ଯୁଗ କ୍ଷେତ୍ରଗୁଡିକରେ ବୃହତ ନିବେଶ ଉପରେ ଧ୍ୟାନ ଦେଉଛନ୍ତି । ଯାହାକି ଭାରତର ସରକାରଙ୍କ ପିଏଲଆଇ ଯୋଜନା ଦ୍ୱାରା ପ୍ରଦାନ କରାଯାଇଥିବା ସୁବିଧା ଉପରେ ଅଧିକ ପ୍ରୋତ୍ସାହନ ଦେଉଛି । ବ୍ୟବସାୟ କରିବାର ସହଜତାକୁ ସୁଦୃଢ କରିବା ପାଇଁ ନିଆ ଯାଇଥିବା ପ୍ରୟାସକୁ ଉଲ୍ଲେଖ କରି ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅନେକ ପଦକ୍ଷେପ ସହିତ ରାଜ୍ୟ ସରକାର ଶିଳ୍ପ ପ୍ରକଳ୍ପର ସମୟ ସୀମା ଏବଂ ଶୀଘ୍ର କାର୍ଯ୍ୟକ୍ଷମ ହେବା ନିଶ୍ଚିତ କରୁଛନ୍ତି ।

ସମଗ୍ର ରାଜ୍ୟରେ ବିପୁଳ ପୁଞ୍ଜି ବିନିଯୋଗ ସହିତ ଓଡିଶା ନିଜର ସ୍ଥିତିକୁ ମଜବୁତ କରିବାର ଲକ୍ଷ୍ୟ ହାସଲ କରିବାକୁ ଏବଂ ଆଗାମୀ ବର୍ଷରେ ଏକ ନୂତନ ରାଜ୍ୟ, ନୂତନ ଭିତ୍ତିଭୂମି, ଉତ୍ସର୍ଗୀକୃତତା, ଶ୍ରେଷ୍ଠ ପ୍ରଯୁକ୍ତିବିଦ୍ୟା ସହିତ ଇଜ୍ ଅଫ୍ ଡୁଇଙ୍ଗ୍ ବିଜିନେସ୍ ଦ୍ୱାରା ସମର୍ଥିତ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5ଟି ସଚିବ ଭି.କେ ପାଣ୍ଡିଆନ୍, ଏମଏସଏମଇ ବିଭାଗର ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା, ଶିଳ୍ପ ବିଭାଗ ନିର୍ଦ୍ଦେଶକ ସାଦିକ ଆଲାମ, ଇପିକଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭୁପେନ୍ଦ୍ର ସିଂ ପୁନିଆ ପ୍ରମୁଖ ଉପସ୍ଥିତ ଥିଲେ ।


ଉଦଘାଟିତ ହୋଇଥିବା ପ୍ରକଳ୍ପ:-

୪୦୦ କୋଟି ଟଙ୍କା ବିନିଯୋଗରେ କେଏନଆଇସି, ଯାଜପୁରରେ ବାର୍ଷିକ ୧.୫ ମିଲିୟନ୍ ମେଟ୍ରିକ୍ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଏକ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍, ପ୍ରତିଷ୍ଠା କରିବ । ଯାହା ୨୧୪ ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ସ୍ୱସ୍ତି ଇକୋୱାଏର୍ସ ଦ୍ୱାରା ୯.୦୩ କୋଟି ଟଙ୍କା ମୂଲ୍ୟରେ ଗ୍ରୋଥ ସେଣ୍ଟର ପିଏଚ-୨, ବଲାଙ୍ଗୀରରେ ବାଇଓଡ଼ିଗ୍ରେଡେବଲ ବାସନ ପ୍ରସ୍ତୁତକାରୀ ୟୁନିଟ ପ୍ରତିଷ୍ଠା କରିବ । ଯାହା ଅନ୍ୟୁନ ୪୯ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।


ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ପ୍ରକଳ୍ପର ବିବରଣୀ:-

୯୪୬ କୋଟି ଟଙ୍କା ପୁଞ୍ଜି ବିନିଯୋଗରେ ଯୋଡ଼ା, କେଉଁଝରରେ ଟାଟା ଷ୍ଟିଲର ବେନିଫିକେସନ ୟୁନିଟର ସମ୍ପ୍ରସାରଣ କରାଯିବ । ପୂର୍ବ କ୍ଷମତା ବାର୍ଷିକ ୧୨ ମିଲିୟନ ମେଟ୍ରିକ ଟନରୁ ବାର୍ଷିକ ୧୭.୬ ମିଲିୟନ ମେଟ୍ରିକ ଟନ୍ ଉତ୍ପାଦନ କ୍ଷମତାକୁ ବୃଦ୍ଧି କରାଯିବ । ଯାହା ମୋଟ ୮୦୩ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିବ ।

ସାଲନା, ବରଗଡ଼ରେ ଗ୍ରୀନଟେକ ବାଇଓଏନର୍ଜୀ ଏଲଏଲପି ଦ୍ୱାରା ୨୫୦ କୋଟି ଟଙ୍କା ବିନିଯୋଗରେ ଦୈନିକ ୨୦୦ କିଲୋଲିଟର ଇଥାନଲ ଉତ୍ପାଦନକ୍ଷମ ଏବଂ ୫ ମେଗାୱାଟ ଉତ୍ପାଦନ କ୍ଷମତା ବିଶିଷ୍ଟ କାରଖାନା ପ୍ରତିଷ୍ଠା ହେବ । ଯାହା ୨୦୨ରୁ ଅଧିକ ବ୍ୟକ୍ତିଙ୍କୁ ନିଯୁକ୍ତି ପ୍ରଦାନ କରିବ ।

୨୦୫କୋଟି ବିନିଯୋଗରେ ଏନର୍ଜି ଇଣ୍ଟ୍ରୋ ପ୍ରାଇଭେଟ ଲିମିଟେଡ୍ ଦ୍ୱାରା ଝାରସୁଗୁଡ଼ାରେ ୬.୦୦ ମେଗାୱାଟ ସହ-ଉତ୍ପାଦନ ବିଦ୍ୟୁତ୍ ଉତ୍ପାଦନ ସହିତ ଇଥାନଲ୍ ଉତ୍ପାଦନ ପାଇଁ ଦୈନିକ ୨୦୦ କିଲୋଲିଟର ଉତ୍ପାଦନ କ୍ଷମତା ବିଶିଷ୍ଟ ଏକ ଶସ୍ୟ-ଆଧାରିତ ଡିଷ୍ଟିଲରି ୟୁନିଟ୍, ଯାହା ୧୯୬ ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

୧୩୪ କୋଟି ବିନିଯୋଗରେ ସ୍ୱସ୍ତି ପ୍ରିମିୟମ୍ ଦ୍ୱାରା ପୁରୀରେ “ସ୍ୱସ୍ତି ପ୍ରିମିୟମ୍ ବିଚ୍ ରିସର୍ଟ” ନାମକ ଏକ ଭବ୍ୟ ପଞ୍ଚତାରକା ରିସର୍ଟ ପ୍ରତିଷ୍ଠା ହେବ । ଯାହା ୩୧୦ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

୬୩.୩୦ କୋଟି ବିନିଯୋଗରେ ଭୁବନେଶ୍ୱର, ଖୋର୍ଦ୍ଧାରେ ଏକ ୪ ତାରକା ହୋଟେଲ ପ୍ରାଚୀ ରିସର୍ଟ ପ୍ରାଇଭେଟ ଲିମିଟେଡ୍ ନିର୍ମାଣ ହେବ । ଯାହା ୮୫ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ବଡ଼ବିଲ, କେଉଁଝରରେ ଜିଭି ମଇନ୍ସ ଆଣ୍ଡ ମେଟାଲ ପକ୍ଷରୁ ବାର୍ଷିକ ୩ ମିଲିୟନ ମେଟ୍ରିକ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ୯ କିଲୋମିଟର ଦୀର୍ଘ ଆଇରନ ଓର କନଭେଇଂ କାପାସିଟି ପ୍ରତିଷ୍ଠା ହେବ । ଯାହା ୨୩୮ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

୯୯.୮୦ କୋଟି ବିନିଯୋଗରେ ଖୋର୍ଦ୍ଧାର ଗିରିଙ୍ଗାପୁଟରେ ଏକ ଲଜିଷ୍ଟିକ୍ ପାର୍କ ପ୍ରତିଷ୍ଠା ହେବ । ଯାହା ୨୩୪ ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

୧୦ କୋଟି ଟଙ୍କା ମୂଲ୍ୟରେ ରାମଦାସପୁର, କଟକରେ ବିଶେଶ୍ୱର ଫୁଡ଼ ଦ୍ୱାରା ଏକ ପ୍ୟାକେଜ୍ ହୋଇଥିବା ଖାଦ୍ୟ ଏବଂ ମସଲା କାରଖାନା ପ୍ରତିଷ୍ଠା ହେବ । ଯାହା ୧୬୧ ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

୯.୭୦ କୋଟି ବିନିଯୋଗରେ ଛତାବର, ଖୋର୍ଦ୍ଧାରେ ମେଜରଏକ୍ସ ଗ୍ଲୋବାଲ ଦ୍ୱାରା ଇସ୍ପାତ ଶିଳ୍ପ ପାଇଁ ଇଲେକ୍ଟ୍ରିକାଲ୍ ସେନ୍ସର ପାଇଁ ଏକ ଉତ୍ପାଦନ ୟୁନିଟ ପ୍ରତିଷ୍ଠା ହେବ । ଯାହା ୫୬ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

୨.୯୮ କୋଟି ଟଙ୍କା ବିନିଯୋଗରେ ଛତାବର, ଖୋର୍ଦ୍ଧା ସାଇ ପ୍ରତୀକ ଇଣ୍ଡଷ୍ଟ୍ରିଜ ଦ୍ୱାରା ଅଠା ପ୍ରସ୍ତୁତକାରୀ କାରଖାନା ପ୍ରତିଷ୍ଠା ହେବ । ଯାହା ୩୨ ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jan 11, 2022, 9:43 AM IST

For All Latest Updates

ABOUT THE AUTHOR

...view details