ଓଡିଶା

odisha

ETV Bharat / city

ଚିତାଲାଗି ଅମାବାସ୍ୟାରେ ରାଜଧାନୀରେ 'ଚିତଉ ପିଠା' ପ୍ରଦର୍ଶନୀ

ଚିତଉ ଅମାବାସ୍ୟାକୁ ବେଶ ଧୁମଧାମରେ ପାଳନ କରିଛନ୍ତି ରାଜଧାନୀବାସୀ । 'ସମ୍ଭାବନା' ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀରେ ଓଡିଆ ଗୃହିଣୀମାନେ ନିଜ ଘରୁ ପିଠା ପ୍ରସ୍ତୁତ କରି ଏଠାରେ ପ୍ରଦର୍ଶନ କରିଛନ୍ତି ।

By

Published : Aug 1, 2019, 6:48 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଓଡିଆ ସଂସ୍କୃତିରେ 12 ମାସରେ 13 ପର୍ବ ପାଳିତ ହୁଏ । ତନ୍ମଧ୍ୟରୁ ଚିତଉ ଅମାବାସ୍ୟା ଆଉ ଏକ ଗଣପର୍ବ । ଆଉ ଏହି ଗଣପର୍ବକୁ ବେଶ ଧୁମଧାମରେ ପାଳନ କରିଛନ୍ତି ରାଜଧାନୀବାସୀ । ସାଧା, ମସଲା, ପୁରଦିଆ ଆଦି ବିଭିନ୍ନ ପ୍ରକାର ଚିତଉ ଦେଖିବା ସହ ଚାଖିବାକୁ ମିଳିଥିଲା ରାଜଧାନୀରେ ଆୟୋଜିତ 'ଚିତଉ ପିଠା' ପ୍ରଦର୍ଶନୀରେ । 'ସମ୍ଭାବନା' ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀରେ ଓଡିଆ ଗୃହିଣୀମାନେ ନିଜ ଘରୁ ପିଠା ପ୍ରସ୍ତୁତ କରି ଏଠାରେ ପ୍ରଦର୍ଶନ କରିଛନ୍ତି । ସ୍ଥାନୀୟ ଜୟଦେବ ଭବନ ପରିସରରେ ଆୟୋଜିତ ଚିତଉ ପିଠା ପ୍ରଦର୍ଶନୀକୁ ଅନୁଷ୍ଠାନର ଅଧ୍ୟକ୍ଷ ଶରତ ଭଦ୍ର ଉଦଘାଟନ କରିଥିଲେ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସମ୍ଭାବନା ପକ୍ଷରୁ ଏଭଳି ପ୍ରୟାସକୁ ସ୍ବାଗତ କରିଛନ୍ତି ଏଥିରେ ଭାଗ ନେଇଥିବା ପ୍ରତିଯୋଗୀ । ଏକ ଦିବସୀୟ ଆୟୋଜିତ ଏହି ପ୍ରଦର୍ଶନୀରେ ପାଖାପାଖି 25ରୁ ଊର୍ଦ୍ଧ୍ବ ମହିଳା ଭାଗ ନେଇଛନ୍ତି । ଆଜି ପବିତ୍ର ଚିତା ଲାଗି ଅମାବାସ୍ୟା ହୋଇଥିବାରୁ ଏହି ଦିନ ଶ୍ରୀମନ୍ଦିରରେ ଦିଅଁଙ୍କ ଠାରେ ଚିତା ଲାଗିଥାଏ । ଏହାପରେ ମହାପ୍ରଭୁଙ୍କ ନିକଟରେ ପିଠା ଭୋଗ କରାଯାଏ । ଖାଲି ସେତିକି ନୁହେଁ ଚାଷ କାର୍ଯ୍ୟର ମୁଖ୍ୟ ଋତୁ ଖରିଫ ଋତୁ । ଏହି ସମୟରେ ବର୍ଷା ପାଣି ଜମୁଥିବା କାରଣରୁ ଜମିରେ ଥିବା ଗେଣ୍ଡା, କୋଚିଆ ଆଦି ଜନ୍ତୁମାନେ ଚାଷୀଙ୍କ ଗୋଡ଼ କାଟି ଦିଅନ୍ତି । ତେଣୁ ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ଦିନ ଚିତଉ ପିଠା ପୂଜା କରିବା ସହିତ ସେମାନଙ୍କୁ ଖାଇବା ପାଇଁ ଦିଆଯାଇଥାଏ । ଯାହାଫଳରେ ଚାଷୀ ଭଲରେ ଭଲରେ ଚାଷ କାର୍ଯ୍ୟ କରିବା ସହିତ ଭଲ ଫସଲ ଅମଳ କରିଥାଏ ବୋଲି ବିଶ୍ବାସ ରହିଛି ।

ବିଲୁପ୍ତ ଆଡକୁ ଅଗ୍ରସର ହେଉଥିବା ଆମ ସମାଜର ସଂସ୍କୃତି ଓ ପରମ୍ପରାକୁ ଉଦଜୀବିତ ରଖିବାକୁ ଏଭଳି କାର୍ଯ୍ୟକ୍ରମ ଏକ ମୁଖ୍ୟ ମାଧ୍ୟମ । ସେପଟେ ସଂସ୍କୃତି ଓ ପରମ୍ପରା ଅନୁସାରେ କାର୍ଯ୍ୟ କଲେ ଆମକୁ ଆମ ଜିନିଷ ପାଇଁ ପରିଚୟ ପାଇବାକୁ ରସଗୋଲା ଭଳି ଜିଆଇ ଟ୍ୟାଗ ମାଗିବାକୁ ପଡିବନି ବୋଲି ସମ୍ଭାବନାର ପରିଚାଳିକା କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details