ଓଡିଶା

odisha

By

Published : Jun 17, 2021, 7:19 PM IST

Updated : Jun 17, 2021, 7:56 PM IST

ETV Bharat / city

କୋଭିଡ ସହାୟତା ଘୋଷଣା, ଖର୍ଚ୍ଚ ହେବ ୧୬୯୦ କୋଟି

କୋଭିଡ ସହାୟତା ଘୋଷଣା , ଖର୍ଚ୍ଚ ହେବ ୧୬୯୦ କୋଟି ଟଙ୍କା
କୋଭିଡ ସହାୟତା ଘୋଷଣା , ଖର୍ଚ୍ଚ ହେବ ୧୬୯୦ କୋଟି ଟଙ୍କା

19:12 June 17

1690 କୋଟି ଟଙ୍କାର କୋଭିଡ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଏହି ଆର୍ଥିକ ପ୍ୟାକେଜରେ ଉପକୃତ ହେବେ ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ଗରିବ ଲୋକ, ଆଦିମ ଜନଜାତି, ଶ୍ରମିକ ଓ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ..

ଭୁବନେଶ୍ବର:ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏହା ଦ୍ବାରା ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ସହରାଞ୍ଚଳର ଗରିବ ଲୋକ, ଆଦିମ ଜନଜାତି, ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, MGNREGA ଶ୍ରମିକ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ସମସ୍ତେ ଉପକୃତ ହେବେ । କାଳିଆ ହିତାଧିକାରୀ ଓ ଭୂମିହୀନ ଚାଷୀଙ୍କୁ ଅତିରିକ୍ତ ୧ ହଜାର ଟଙ୍କା ମିଳିବ  । 

କୋଭିଡ ମହାମାରୀ ଦ୍ବାରା ସମାଜର ସବୁ ବର୍ଗର ଲୋକଙ୍କର ଆର୍ଥିକ ଅବସ୍ଥା ପ୍ରଭାବିତ ହୋଇଛି । କିନ୍ତୁ ସାମାଜିକ ତଥା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଲୋକମାନେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି । ପ୍ରଥମ ଲହରରେ ଗତବର୍ଷ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ସହାୟତା ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ପ୍ରତିକୂଳ ପ୍ରଭାବରୁ ବହୁ ପରିମାଣରେ ଆଶ୍ବସ୍ତି ଦେଇଥିଲା ।  

କୋଭିଡର ଦ୍ବିତୀୟ ଲହର ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପର୍ଯ୍ୟାୟକ୍ରମେ ଗତ ଦୁଇ ମାସ  ଧରି  ଲକ୍‌ଡାଉନ ଜାରି ରହିଛି । ଏହାର ପ୍ରଭାବରେ ଗରିବ ତଥା ଶ୍ରମିକ ଶ୍ରେଣୀର ଲୋକମାନଙ୍କ ଆର୍ଥିକ ସ୍ଥିତିକୁ ମଧ୍ୟ ଦୁର୍ବଳ କରିଛି । ଏହାକୁ ବିଚାର କରି ସେମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

କାଳିଆ ଯୋଜନା ତାଲିକା  ଅନୁସାରେ ରାଜ୍ୟର ୧୭ ଲକ୍ଷ ୮୩ ହଜାର ଭୂମିହୀନ ଚାଷୀ ଅଛନ୍ତି । ପ୍ରତି ହିତାଧିକାରୀ ପିଛା  ୧୦୦୦ ଟଙ୍କା ସ୍ବତନ୍ତ୍ର ସହାୟତା ଦିଆଯିବ । କାଳିଆ ଯୋଜନାରେ ସବୁ ଭୂମିହୀନ ଚାଷୀ ପରିବାରକୁ ମଧ୍ୟ ୩ଟି କିସ୍ତିରେ ୨୦୭ କୋଟି ଟଙ୍କା ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ସେହିପରି କୋଭିଡ ଲକଡାଉନ ସମୟରେ ସହରାଞ୍ଚଳରେ  ରହୁଥିବା ଗରିବ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ ରାଜ୍ୟ ସରକାର ମୁକ୍ତା ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏହି ଯୋଜନାରେ ରାଜ୍ୟର ୧୧୪ଟି ପୌରସଂସ୍ଥା ମାନଙ୍କରେ ରହୁଥିବା ଗରିବ ଲୋକଙ୍କୁ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ରୋଜଗାର ଯୋଗାଇବା ପାଇଁ ୨୬୦ କୋଟି ଟଙ୍କାର କାମ ଯୋଗାଇ ଦିଆଯିବ । NREGS ଯୋଜନାରେ କାମ କରୁଥିବା ଶ୍ରମିକ ମାନଙ୍କୁ ସେମାନଙ୍କର ଦୈନିକ ମଜୁରୀ ବ୍ୟତୀତ ପ୍ରତିଦିନ ଅଧିକ ୫୦ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ସହାୟତା ଭାବରେ ଦିଆଯିବ । ଏପ୍ରେଲ ୨୧ରୁ ଜୁନ୍‌ ୨୧ ମଧ୍ୟରେ ଏହି ବର୍ଦ୍ଧିତ ମଜୁରୀ ବାବଦକୁ ରାଜ୍ୟ ସରକାର ୩୦୦ କୋଟି ଟଙ୍କା ବହନ କରିବେ । ଏହି ସମୟ ମଧ୍ୟରେ NREGS ଯୋଜନାରେ ୬ କୋଟି ମାନବ ଦିବସ ସୃଷ୍ଟି କରାଯାଇଛି ।

ଖାଦ୍ୟ ନିରାପତ୍ତା ସବୁବେଳେ ରାଜ୍ୟ ସରକାରଙ୍କର ପ୍ରାଥମିକତା ରହିଆସିଛି । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ମାନଙ୍କୁ ଜୁଲାଇରୁ ନଭେମ୍ବର ୨୧ ପର୍ଯ୍ୟନ୍ତ ୫ କେଜି ଲେଖାଏ ଚାଉଳ ପ୍ରତି ବ୍ୟକ୍ତିଙ୍କୁ ମାଗଣାରେ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିପାଇଁ ୯୨.୮୬ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ଓଡିଶାରେ ଆମର ୧୩ଟି ଆଦିମ ଜନଜାତିର ୬୬,୨୧୪ ଜଣ ବ୍ୟକ୍ତି ବାସ କରୁଛନ୍ତି । ସେମାନଙ୍କ ଜୀବନ ଜୀବିକା ସହାୟତା ବାବଦରେ ପ୍ରତି ପରିବାରକୁ ୫୦୦୦ ଟଙ୍କା ଲେଖାଏଁ ଦିଆଯିବ  । ଏ ବାବଦରେ ୩୩.୧୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହି ଟଙ୍କାଙ୍କୁ  ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଜମା କରାଯିବ । ଏପ୍ରିଲ ୨୧ରୁ ସେପ୍ଟେମ୍ବର ୨୧ ପର୍ଯ୍ୟନ୍ତ ରହିଥିବା ତଫସିଲଭୁକ୍ତ ଜାତି ଓ ଜନଜାତିଙ୍କ ଛାତ୍ରଛାତ୍ରୀଙ୍କର   pre-matric ଛାତ୍ର ବୃତ୍ତିକୁ ସେମାନଙ୍କ ପିତାମାତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଦୁଇଟି ପର୍ଯ୍ୟାୟରେ ଜମା କରାଯିବ । ଏଥିପାଇଁ  ୨୫୨.୩୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏଥିରେ ୫ ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀ  ଉପକୃତ ହେବେ ।

ସ୍ବତନ୍ତ୍ର ବିଦ୍ୟାଳୟ ମାନଙ୍କରେ ପଢୁ ନ ଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ଦିଆଯାଉଥିବା ‘ବାଣୀଶ୍ରୀ’ ଛାତ୍ରବୃତ୍ତି ଜାରି ରହିବ । ଏପ୍ରିଲରୁ ଜୁନ ୨୧ ପର୍ଯ୍ୟନ୍ତ ସେମାନଙ୍କୁ ୨୦୦ରୁ ୩୫୦ ଟଙ୍କା ପର୍ଯ୍ୟନ୍ତ (ଶ୍ରେଣୀ ଅନୁସାରେ) ଛାତ୍ରବୃତ୍ତି ଯୋଗାଇ ଦିଆଯିବ । ଏହାଦ୍ବାରା ୨୬, ୪୬୫ ଛାତ୍ରଛାତ୍ରୀ ଉପକୃତ ହେବେ । ଏ ବାବଦରେ ୩ କୋଟି ୬୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ।  

ଘରେ ରହି ଅନଲାଇନ ଜରିଆରେ ପାଠ ପଢୁଥିବା ସ୍ବତନ୍ତ୍ର ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଏପ୍ରିଲରୁ ଜୁନ୍ ୨୧ ପର୍ଯ୍ୟନ୍ତ ଖାଦ୍ୟ ଖର୍ଚ୍ଚ ବାବଦକୁ ପ୍ରତି ମାସରେ ୧୨୪୫ ଟଙ୍କା ଦିଆଯିବ । ଏହାଦ୍ବାରା ୬୪୭୧ ଜଣ ଛାତ୍ରଛାତ୍ରୀ ଉପକୃତ ହେବେ । ଏ ବାବଦରେ ୨ କୋଟି ୪୧ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ଏପ୍ରିଲରୁ ଜୁନ୍‌ ୨୧ ପର୍ଯ୍ୟନ୍ତ ଅଣ-ଆବାସିକ ଛାତ୍ରଛାତ୍ରୀ ମାନଙ୍କୁ ମାସିକ ୩୭୦ ଟଙ୍କା ଲେଖାଏଁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିଲାଗି  ୩ କୋଟି ୬୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ସେହିପରି ୩୪୪ ଜଣ ଅଣ-ଆବାସିକ ଛାତ୍ରଛାତ୍ରୀମାନଙ୍କୁ ଅପ୍ରେଲ ୨୧ରୁ ଜୁନ୍‌ ୨୧ ପର୍ଯ୍ୟନ୍ତ ୩୭୦ ଟଙ୍କା ଲେଖାଏଁ ମାସିକ ଅନୁଦାନ ଯୋଗାଇ ଦିଆଯିବ । ଏଥିପାଇଁ ୩ ଲକ୍ଷ ୮୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାଯାଇଛି ।

ରାଜ୍ୟରେ ପଞ୍ଜୀକୃତ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୧୫୦୦ ଟଙ୍କା ଲେଖାଏ ସ୍ବତନ୍ତ୍ର କୋଭିଡ ସହାୟତା ଘୋଷଣା କରିଛନ୍ତି । ଏ ବାବଦରେ ୩୬୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ।  

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ 

Last Updated : Jun 17, 2021, 7:56 PM IST

ABOUT THE AUTHOR

...view details