ଭୁବନେଶ୍ବର: ଆଜି ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଲୀଳାମୟ ପୁରୁଷଙ୍କ ନିମନ୍ତେ ଶ୍ରୀମନ୍ଦିରର ସିଂହଦ୍ବାର ଆଗରେ ସୁସଜ୍ଜିତ ହୋଇ ୩ ରଥ ପ୍ରସ୍ତୁତ । ମହାପ୍ରଭୁଙ୍କ ଏହି ମହାଯାତ୍ରାକୁ ନିଜ ସୂଷ୍ମ କାରୁକାର୍ଯ୍ୟରେ ସ୍ଥାନ ଦେଇଛନ୍ତି ଶିଳ୍ପୀକାର ଏଲ୍ ଇଶ୍ବର ରାଓ । ୬୩୫ଟି ଦିଆସିଲି କାଠି ବ୍ୟବହାର କରି ମନଲୋଭା ତିନି ରଥ ନିର୍ମାଣ କରିଛନ୍ତି । ଆଉ ଏଥିରେ ବିରାଜିତ ତ୍ରିମୂର୍ତ୍ତି ।
ସୂଷ୍ମକଳାରେ ପାରଙ୍ଗମ ଇଶ୍ବର । ଦିଆସିଲି କାଠିର ଚାରୁକଳାରେ ଅତ୍ୟନ୍ତ ଚିତ୍ତାକର୍ଷକ ରଥ ନିର୍ମାଣ କରିଛନ୍ତି । ରଥକୁ ଗଢ଼ିବା ଲାଗି ଈଶ୍ବର ୧୭ଟି ଦିଆସିଲି ବାକ୍ସର ୬୩୫ଟି କାଠି ବ୍ୟବହାର କରିଛନ୍ତି। ରଥଗୁଡ଼ିକର ଉଚ୍ଚତା ୩.୫ଇଞ୍ଚ ରହିଛି । ଏହାକୁ ନିର୍ମାଣ କରିବା ଲାଗି ତାଙ୍କୁ ୭ ଦିନ ଲାଗିଛି । କୁନି କୁନି ଦିଅଁମାନଙ୍କୁ ନେଇ ପ୍ରସ୍ତୁତ ଏହି ରଥରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ବିରାଜମାନ କରିଛନ୍ତି। ଏହି ରଥଗୁଡ଼ିକୁ ଚଳାଇ ମଧ୍ୟ ହେବ। ଏଥିପାଇଁ ଈଶ୍ବର ଛୋଟ କାଠର ଚକ ନିର୍ମାଣ କରିଛନ୍ତି। ଛୋଟ ପତାକା ମଧ୍ୟ ଲଗାଯାଇଛି । ଏହାସହ ରଥରେ ଶ୍ରୀ ଜଗନ୍ନାଥ, ଶ୍ରୀବଳଭଦ୍ର ଓ ମାତା ସୁଭଦ୍ରାଙ୍କ ବିଗ୍ରହକୁ ଉପସ୍ଥାପିତ କରିଛନ୍ତି ।