ଭୁବନେଶ୍ବର/ସୁନ୍ଦରଗଡ:ସୁନ୍ଦରଗଡ ଓ ବରଗଡ ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ । ଦୁଇଟି ଜିଲ୍ଲାରେ କୋରୋନା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା । ଏହି ଅବସରରେ ରାଜ୍ୟ ସରକାରଙ୍କ ପ୍ରମୁଖ ଉପଦେଷ୍ଟାଙ୍କ ସମେତ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ ଉପସ୍ଥିତ ଥିଲେ ।
ଖୋର୍ଦ୍ଧା ପରେ କୋରୋନା ସଂକ୍ରମଣରେ ଦ୍ବିତୀୟ ସ୍ଥାନରେ ରହିଛି ସୁନ୍ଦରଗଡ । ରାଉରକେଲା ସହରରେ କୋଭିଡ ପରିଚାଳନାର ସମୀକ୍ଷା କରିବା ସହିତ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ଅସିତ ତ୍ରିପାଠୀ । ସୋମବାର ସୁଦ୍ଧା ସୁନ୍ଦରଗଡ ଜିଲ୍ଲାରେ ଆହୁରି 90 ଆଇସିୟୁ ବିଶିଷ୍ଟ ଶଯ୍ୟା କାର୍ଯ୍ୟକ୍ଷମ ହେବ । ଏହା ସହିତ 120 ଅକ୍ସିଜେନ ବେଡ ବ୍ୟବସ୍ଥା, ଦୈନିକ ୫୦୦ ଆରଟିପିସିଆର ଟେଷ୍ଟିଂ କ୍ଷମତା ବୃଦ୍ଧି କରାଯିବ ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି ଅସିତ ତ୍ରିପାଠୀ ।
ରାଉରକେଲା ହାଇଟେକ୍ କୋଭିଡ ହସ୍ପିଟାଲ୍ ପରିଦର୍ଶନ କରିଛନ୍ତି ଦଳ । ଏହା ସହିତ ରାଉରକେଲା 24 ଘଣ୍ଟିଆ କୋଭିଡ ହେଲ୍ପଲାଇନ କଣ୍ଟ୍ରୋଲରୁମ ପରିଦର୍ଶନ କରି ସମଗ୍ର ଜିଲ୍ଲାର ସ୍ବାସ୍ଥ୍ୟ ସୁବିଧା ସମୀକ୍ଷା କରିଛନ୍ତି । ଏହି ଅବସରରେ ଅସିତ୍ ତ୍ରିପାଠୀ କହିଛନ୍ତି ଯେ, 'ଜିଲ୍ଲାରେ କୋଭିଡ୍ ଚିକିତ୍ସା ପାଇଁ ବର୍ତ୍ତମାନ ଆବଶ୍ୟକ ସଂଖ୍ୟକ ଡାକ୍ତରଖାନା ରହିଛି । ସେଠାରେ ୭୦୦ରୁ ଅଧିକ ଆଇସିୟୁ ଏବଂ ଅକ୍ସିଜେନ ବେଡ୍ ରହିଛି । ତେବେ ଆଗାମୀ ଦୁଇ ତିନିଦିନ ମଧ୍ୟରେ ଆଇସିୟୁ ବେଡ୍ ସଂଖ୍ୟା ବୃଦ୍ଧି କରାଯିବ । ଏ ବାବଦରେ ସୁନ୍ଦରଗଡ଼ ଜିଲ୍ଲାପାଳ ଆବଶ୍ୟକ ପଦକ୍ଷେପ ନେଉଛନ୍ତି । ୯୦ଟି ଆଇସିୟୁ ବେଡ୍ ଏବଂ ୧୨୦ଟି ଅକ୍ସିଜେନ ଯୁକ୍ତ ବେଡ୍ ଖୁବଶୀଘ୍ର ବଢ଼ାଯିବ ।'