ଓଡିଶା

odisha

ETV Bharat / city

କ୍ୟାନସର ରୋଗୀଙ୍କୁ ଗାନ୍ଧୀ ଜୟନ୍ତୀରୁ ମିଳିବ ସ୍ବତନ୍ତ୍ର ସେବା

ଆସନ୍ତା ଗାନ୍ଧୀ ଜୟନ୍ତୀରୁ କର୍କଟ ରୋଗୀମାନଙ୍କୁ ରାଜ୍ୟ ସରକାର ଜିଲ୍ଲାସ୍ତରରେ ଉପଶମ ଚିକିତ୍ସା ଯୋଗାଇଦେବେ । ପ୍ରଥମ ପର୍ଯ୍ୟାୟରେ କ୍ୟାପିଟାଲ ହସ୍ପିଟାଲ ସମେତ ୭ଟି ଜିଲ୍ଲାରେ ଏହି ସେବା ଆରମ୍ଭ ହେବ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହା ସ୍ଥିର ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 17, 2019, 10:04 PM IST

ଭୁବନେଶ୍ବର: କର୍କଟ ରୋଗୀଙ୍କ ପାଇଁ ଖୁସି ଖବର । ଏଣିକି ଜିଲ୍ଲା ସ୍ତରରେ ସେମାନଙ୍କ ଉପଶମ ଚିକିତ୍ସା ଦେବେ ରାଜ୍ୟ ସରକାର । ଆସନ୍ତା ଗାନ୍ଧୀ ଜୟନ୍ତୀ ଠାରୁ ରୋଗୀଙ୍କୁ ମିଳିବ ଏହି ସୁବିଧା । ପ୍ରଥମ ପର୍ଯ୍ୟାୟରେ କ୍ୟାପିଟାଲ ହସ୍ପିଟାଲ ସମେତ 7ଟି ଜିଲ୍ଲାରେ ଏହି ସେବା ଆରମ୍ଭ ହେବ । ଶୁକ୍ରବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହା ସ୍ଥିର ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବୈଠକର ନିଷ୍ପତ୍ତି ଅନୁଯାୟୀ ଯେଉଁ କର୍କଟରୋଗୀମାନେ କେମୋ ଗ୍ରହଣ କରୁଛନ୍ତି ସେମାନଙ୍କୁ ଯନ୍ତ୍ରଣାରୁ ଉପଶମ ଲାଗି ରାଜ୍ୟ ସରକାର ଏହି ସୁବିଧା ଯୋଗାଇଦେବେ । ଏଥିରେ ରୋଗୀମାନଙ୍କ ପାଇଁ ଜିଲ୍ଲାସ୍ତରୀୟ ଚିକିତ୍ସାଳୟରେ ସ୍ବତନ୍ତ୍ର ଶଯ୍ୟା ସହିତ ଆବଶ୍ୟକ ଔଷଧ ଯୋଗାଇ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ କ୍ୟାପିଟାଲ ହସ୍ପିଟାଲ ସମେତ ବାଲେଶ୍ବର, ବରଗଡ, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ନୟାଗଡ ଓ ସୁନ୍ଦରଗଡରେ ଏହି ଚିକିତ୍ସା ଆରମ୍ଭ ହେବ । ୨୦୨୦-୨୧ ସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଲାକୁ ଏହା ସମ୍ପ୍ରସାରିତ କରିବାର ଯୋଜନା ରହିଛି ବୋଲି ମନ୍ତ୍ରୀ କହିଛନ୍ତି ।

ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲ ସମେତ ୨୬ଟି ଜିଲ୍ଲାରେ କର୍କଟରୋଗୀଙ୍କୁ କେମୋ ଚିକିତ୍ସା ଯୋଗାଇ ଦିଆଯାଉଥିବାବେଳେ ଖୁବ୍‍ଶୀଘ୍ର କଟକ ସିଟି ହସ୍ପିଟାଲ, ପୁରୀ, ମାଲକାନଗିରି, ମୟୂରଭଞ୍ଜ, ଦେବଗଡ, ଅନୁଗୁଳ, ବୁର୍ଲାର ଭିମ୍‍ସାର ଓ ବ୍ରହ୍ମପୁରର ଏମକେସିଜିରେ ଏହା ଆରମ୍ଭ ହେବ । ଏମକେସିଜି ବ୍ରହ୍ମପୁର ଓ ଭିମ୍‍ସାର ବୁର୍ଲାର କର୍କଟ ବିଭାଗରେ ରୋଗୀଙ୍କ ଲାଗି ଉନ୍ନତମାନର ଚିକିତ୍ସା ବ୍ୟବସ୍ଥା କରାଯିବ । ଏଥିପାଇଁ ରାଜ୍ୟ ସରକାର ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବେ । କଟକ ଏସ୍‍ସିବି ମେଡିକାଲର ଛାତି ଓ ଯକ୍ଷ୍ମାରୋଗ ବିଭାଗକୁ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବାପାଇଁ ଚାଲିଥିବା ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯିବ । ଏଥିସହ ସେଠାରେ ଡିଏମ ପାଠ୍ୟକ୍ରମ ଆରମ୍ଭ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି ।

ସେହିପରି ଗାନ୍ଧୀ ଜୟନ୍ତୀରୁ ରାଜ୍ୟ ସରକାର ଆରମ୍ଭ କରୁଥିବା ‘ମୋ ସରକାର’ ଯୋଜନା ଅନୁଯାୟୀ ସ୍ବାସ୍ଥ୍ୟ ବିଭାଗର ସଚିବଙ୍କ ଠାରୁ ଆରମ୍ଭକରି ଅନ୍ୟାନ୍ୟ ଅଧିକାରୀମାନେ ରୋଗୀମାନଙ୍କୁ ସିଧାସଳଖ ଟେଲିଫୋନ୍‍ କରି ସେମାନଙ୍କର ସୁବିଧା ଅସୁବିଧା ବୁଝିବେ । ମେଡିକାଲ କଲେଜ ଓ ହସ୍ପିଟାଲ ଠାରୁ ଆରମ୍ଭକରି ଜିଲ୍ଲା ସ୍ତରରେ ଚିକିତ୍ସିତ ରୋଗୀଙ୍କ ସହ ଦୈନନ୍ଦିନ ଆଲୋଚନା କରିବେ। କଟକ ଜିଲ୍ଲାର ବାରଙ୍ଗ ଠାରେ କର୍କଟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଲାଗି ଟାଟା ଟ୍ରଷ୍ଟ ସହ ରାଜ୍ୟ ସରକାର କରିଥିବା ବୁଝାମଣା ଅନୁଯାୟୀ ୨୦୨୦ ସୁଦ୍ଧା ୧୫ଟି କେନ୍ଦ୍ର କାର୍ଯ୍ୟକ୍ଷମ ଲାଗି ବୈଠକରେ ସ୍ଥିର ହୋଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details