ଓଡିଶା

odisha

By

Published : May 22, 2022, 10:44 PM IST

ETV Bharat / city

ହୀରାକୁଦ ଆବଦ୍ଧ ମାଛ ଚାଷ ଏକ ସଫଳ ରୂପାୟନ: ସୁରେଶ ମହାପାତ୍ର

ହୀରାକୁଦ ଜଳଭଣ୍ଡାରରେ ଆବଦ୍ଧ ମାଛ ଚାଷ ଏକ ସଫଳ ମଡେଲ୍ । ଏହା ଖୁବଶୀଘ୍ର ରାଜ୍ୟର ମଧୁର ପାଣି ମାଛ ଉତ୍ପାଦନକୁ ବହୁ ପରିମାଣରେ ବୃଦ୍ଧି କରିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । ଅଧିକ ପଢନ୍ତୁ

ହୀରାକୁଦ ଆବଦ୍ଧ ମାଛ ଚାଷ ଏକ ସଫଳ ରୂପାୟନ: ସୁରେଶ ମହାପାତ୍ର
ହୀରାକୁଦ ଆବଦ୍ଧ ମାଛ ଚାଷ ଏକ ସଫଳ ରୂପାୟନ: ସୁରେଶ ମହାପାତ୍ର

ଭୁବନେଶ୍ବର:ହୀରାକୁଦ ଜଳଭଣ୍ଡାରରେ ଆବଦ୍ଧ ମାଛ ଚାଷ (Cage fish culture) ଏକ ସଫଳ ମଡେଲ୍ ଏବଂ ଏହା ଖୁବଶୀଘ୍ର ରାଜ୍ୟର ମଧୁର ପାଣି ମାଛ ଉତ୍ପାଦନକୁ ବହୁ ପରିମାଣରେ ବୃଦ୍ଧି କରିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । ଉଭୟ କ୍ଷେତ୍ର ପରିଦର୍ଶନ ଏବଂ ଉଚ୍ଚସ୍ତରୀୟ ସମୀକ୍ଷାପରେ ମହାପାତ୍ର ଏହା କହିଛନ୍ତି । ଇତିମଧ୍ୟରେ ମୁଖ୍ୟ ଶାସନ ସଚିବ ହୀରାକୁଦ ଜଳଭଣ୍ଡାରରେ ସ୍ଥାପିତ କେଜ୍ ଗୁଡିକରେ ମାଛ ଚାଷ ସ୍ଥିତି ପ୍ରତ୍ୟକ୍ଷ ଅନୁଧ୍ୟାନ କରିବା ସହ ମାଛଚାଷୀ, ଉଦ୍ୟୋଗୀ ଏବଂ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।

କ୍ଷେତ୍ରସ୍ତରୀୟ ମାଛଚାଷ କାର୍ଯ୍ୟର ଅଗ୍ରଗତି ବିଷୟରେ ସନ୍ତୋଷ ପ୍ରକାଶ କରି ମୁଖ୍ୟ ସଚିବ କମନ୍ ଫେସିଲିଟି ସେଣ୍ଟର, ପରୀକ୍ଷାଗାର ଏବଂ ମାଛ ପହୁଞ୍ଚାଣ ପାଇଁ ଭାସମାନ ଜେଟ୍ଟି ଆଦି ଭିତ୍ତିଭୂମିକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । କେଜ୍-ଫିସ୍-କଲ୍ଚର ବିକାଶ ଲାଗି ସରକାର ଆବଶ୍ୟକୀୟ ଭିତ୍ତିଭୂମି ଓ ସହଯୋଗ ଯୋଗାଇଦେବେ ବୋଲି ମହାପାତ୍ର ଉଦ୍ୟୋଗୀମାନଙ୍କୁ ପ୍ରତିଶୃତି ଦେଇଥିଲେ। ଏହି ସେଣ୍ଟରରେ ଚାଷୀମାନେ କେଜରୁ ମାଛ ଧରି ବିପଣୀ ପାଇଁ ବର୍ଗୀକରଣ କରିପାରିବେ ।

ହୀରାକୁଦ ଜଳଭଣ୍ଡାରରେ ଆବଦ୍ଧ ମାଛ ଚାଷ

ଏଠାରେ ଚାଷୀମାନଙ୍କ ପାଇଁ ପାଣି, ବିଦ୍ୟୁତ, ପରିଚ୍ଛନ୍ନତା ଓ ଶୌଚାଳୟ ଆଦିର ବ୍ୟବସ୍ଥା ରହିବ । ସେହିପରି ମତ୍ସ୍ୟଚାଷ ଗବେଷଣା ପରୀକ୍ଷାଗାର ଜଳ-ଜୀବ ସ୍ବାସ୍ଥ୍ୟ ନିରୀକ୍ଷଣ ଏବଂ ପରିବେଶ ସନ୍ତୁଳନ ଅନୁଧ୍ୟାନ ଆଦିରେ ସହାୟକ ହେବ । ମାଛଚାଷୀମାନେ କେଜ୍‌ରେ ବଢ଼ୁଥିବା ମାଛଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରି ଗୁଣାତ୍ମାକମାନର ଉତ୍ପାଦନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଇପାରିବେ । ଜଳଭଣ୍ଡାର ଉପରିଭାଗର ୧ ପ୍ରତିଶତ ଅଂଚଳରେ ଏହି କେଜ୍-କଲ୍ଚର ସିମୀତ ରଖିବା ଲାଗି ମୁଖ୍ୟ ଶାସନ ସଚିବ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ହୀରାକୁଦର ମତ୍ସ୍ୟ ଓ ପଶୁସଂପଦ ବିକାଶ ଉପ ନିର୍ଦ୍ଦେଶକ ଜଣାଇଥିଲେ ଯେ ଜାତୀୟ ନୀୟମାବଳୀ ଦ୍ବାରା ନିର୍ଦ୍ଧାରିତ ସୀମାଠାରୁ ବହୁ କମ୍ ଅଂଚଳରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୨ ଟି କେଜ୍ ମାଛଚାଷ ଜୋନ୍ ଏବଂ ୬୨୫ ଟି ସବ୍- ଜୋନ ଚିହ୍ନଟ କରାଯାଇଛି । ଏହା ମଧ୍ୟରୁ ୧୦୧ ଟି ସବ୍- ଜୋନକୁ ପୁଞ୍ଜିନିବେଶ ଆଗ୍ରହ ଭିତ୍ତିରେ ଚୟନ ହୋଇଥିବା ଉଦ୍ୟୋଗୀମାନଙ୍କୁ ଲିଜ୍ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ସେମାନଙ୍କ ମଧ୍ୟରୁ ୭୧ ଜଣ ଉଦ୍ୟୋଗୀ ବିଭାଗ ସହ ବୁଝାମଣାପତ୍ର ସ୍ବାକ୍ଷର କରି କ୍ଷେତ୍ରସ୍ତରୀୟ କାମ ଆରମ୍ଭ କରିଛନ୍ତି । ୩୦ ଟି ସବ୍- ଜୋନରେ କେଜ୍ ସ୍ଥାପନ କାର୍ଯ୍ୟ ସରିଛି ।

ଉଦ୍ୟୋଗୀମାନଙ୍କୁ ନିୟମିତ ଯୋଗାଯୋଗ ଓ ବୈଷୟିକ ଜ୍ଞାନ କୌଶଳ ସଂପ୍ରସାରଣ ମାଧ୍ୟମରେ ଉତ୍ସାହିତ କରି ଆଗାମୀ ୬ ମାସରେ ଅବଶିଷ୍ଟ ସବ୍- ଜୋନ ମାନଙ୍କରେ କେଜ୍ ସ୍ଥାପନ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ସୂଚନାଯୋଗ୍ୟ, ଗୋଟିଏ ସବ୍- ଜୋନରେ ୧୬ମି ବ୍ୟାସ ଏବଂ ୫ ମି ଗଭୀରତାର ୩ ଟି ଗୋଲାକାର କେଜ୍ କିମ୍ବା ୪ x ୬ x ୪ ମିଟରର ୨୪ ଟି ଆୟତଘନାକାର କେଜ୍ ସ୍ଥାପନ କରାଯାଇ ପାରିବ । ପ୍ରତି ଗୋଲାକାର କେଜ୍‌ରୁ ଥରକେ ୨୫ ରୁ ୩୦ ଟନ୍ ମାଛ ଅମଳ କରାଯାଇ ପାରିବ । ଆବଣ୍ଟିତ ସବ୍- ଜୋନ ଗୁଡିକରେ ଉତ୍ପାଦନ ଆରମ୍ଭ ହେଲେ ଥରକେ ପ୍ରାୟ ୧୪୫୦୦ ଟନରୁ ଅଧିକ ମାଛ ଅମଳ ହେବ ।

ହୀରାକୁଦ ଜଳଭଣ୍ଡାର ଉପରିଭାଗରେ ୧୮୭୫ ଟି ଗୋଲାକାର କେଜ୍ କିମ୍ବା ୧୫୦୦୦ ଆୟତଘନାକାର କେଜ୍ ପ୍ରତିଷ୍ଠା କରାଯାଇପାରିବ। ଏସବୁରୁ ଥରକେ ପ୍ରାୟ ୪୫୦୦୦ ଟନ୍‌ରୁ ଅଧିକ ମଧୁର ପାଣି ମାଛ ଅମଳ କରାଯାଇପାରିବ । ଉଦ୍ୟୋଗୀମାନଙ୍କୁ ଅମଳ ମାଛର ବିପଣୀ ପାଇଁ ବଜାର- ସଂଯୋଗ ପରାମର୍ଶ ଦେବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ମହାପାତ୍ର କହିଥିଲେ । ବୈଷୟିକ କୌଶଳର ପ୍ରୟୋଗ, ଜନସାଧାରଣଙ୍କ ସହଭାଗିତା ଏବଂ ଘରୋଇ ପୁଞ୍ଜିନିବେଶ ମାଧ୍ୟମରେ ମଧୁର ପାଣି ମାଛ ଚାଷ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ବିଶେଷଜ୍ଞ ଓ ବୁଦ୍ଧିଜୀବୀମାନେ ଆଶା ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details