ଭୁବନେଶ୍ବର: ଗୃହରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ମୁଲତବୀ ପ୍ରସ୍ତାବ ବେଳେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବିରୋଧ କଲା ମୁଖ୍ୟ ବିରୋଧୀ ବିଜେପି । ମନ୍ତ୍ରୀ ଉତ୍ତର ଦେବାକୁ ଉଠିବା ମାତ୍ରେ ବିଜେପି ସଦସ୍ୟମାନେ ନାରାବାଜି କରିବା ସହ କକ୍ଷ ତ୍ୟାଗ କରିଥିଲେ । ତେବେ ମନ୍ତ୍ରୀ ଗୃହରେ ଉତ୍ତର ରଖିଥିଲେ । ବିଭିନ୍ନ ଆଇନ ଶୃଙ୍ଖଳା ପ୍ରସଙ୍ଗ, ତଦନ୍ତ ଅଗ୍ରଗତି ଓ ପଦକ୍ଷେପ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଉତ୍ତର ରଖିଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍ ରହିଥିବା ସେ କହିଛନ୍ତି । ମନ୍ତ୍ରୀଙ୍କ ଉତ୍ତର ଓ ଶାସକ ଦଳ ସଦସ୍ୟଙ୍କ ବିବୃତ୍ତି ପରେ ବାଚସ୍ପତି ବିରୋଧୀଙ୍କ ମୁଲତବୀ ପ୍ରସ୍ତାବକୁ ଅଗ୍ରାହ୍ୟ କରିବା ସହ ଗୃହକାର୍ଯ୍ୟ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ।
ବିଧାନସଭାରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ସରଗରମ ଆଲୋଚନା ହୋଇଛି । ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ରାଜ୍ୟ ସରକାରଙ୍କ ଉପରେ ଶାଣିତ ଆକ୍ରମଣ କରିଥିଲେ । ଓଡ଼ିଶା ଶାନ୍ତିପ୍ରିୟ ରାଜ୍ୟ । ତେବେ ବିଗତ ବର୍ଷ ମାନଙ୍କରେ ବଢୁଥିବା ହିଂସା ରାଜ୍ୟର ଛବି ଖରାପ କରିଛି । ଅପରାଧରେ ସଂପୃକ୍ତ ଥିବା ମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇଛନ୍ତି ସରକାର । ଏହାସହ ଗୃହରେ ପୁଣି ଉଠିଛି ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗ । ରାଜ୍ୟରେ ଅପରାଧ ବ୍ୟାପକ ଭାବେ ହେଉଛି ବୋଲି ଅଭିଯୋଗ ଆଣିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ସେ ଚିଲିକା ବିଧାୟକଙ୍କ ଗାଡି ଚଢ଼େଇବା ପ୍ରସଙ୍ଗ ଉଠାଇ କହିଥିଲେ, କାହା ନିର୍ଦ୍ଦେଶରେ ଗାଡି ନମ୍ବର ପରିବର୍ତ୍ତନ କରାଗଲା, କିଏ ତାଙ୍କୁ ଘଣ୍ଟ ଘୋଡାଉଛି । ଯଦି ତାଙ୍କୁ ନିଲମ୍ବନ କରାଯାଇଛି ତେବେ ତାହାର ରିପୋର୍ଟ କ'ଣ ପାଇଁ ସାର୍ବଜନୀନ କରାଯାଇନାହିଁ ବୋଲି ପ୍ରଶ୍ନ କରିଛନ୍ତି ମୋହନ ମାଝୀ ।