ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ମହିଳାଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ନିରାକରଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଏହାର ପ୍ରତିବାଦ ସ୍ବରୂପ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟର ଗୃହମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କୁ ଏ ବିଷୟରେ ପ୍ରଶ୍ନ ପଚାରିବା ଉଦ୍ଦେଶ୍ୟରେ ଏକ ଟିମ୍ ନବୀନ ନିବାସ ଅଭିମୁଖେ ବାହାରି ଥିଲେ କିନ୍ତୁ ଏହାର ଅଳ୍ପ ଦୂରରୁ ପୋଲିସ ସେମାନଙ୍କୁ ଅଟକାଇବା ସହିତ ଗିରଫ କରିଛି ।
ବିଜେପିର ରାଜ୍ୟ ମହିଳା ମୋର୍ଚ୍ଚା ନେତ୍ରୀ ପ୍ରଭାତୀ ପରିଡାଙ୍କ କହିବା ଅନୁସାରେ, ସରକାର '5ଟି', 'ମୋ ସରକାର' ଭଳି ଅନେକ ଯୋଜନା କରୁଥିବାବେଳେ ନାରୀଙ୍କ ପ୍ରତି ଅତ୍ୟାଚାର ବଢି ବଢି ଚାଲିଛି । ପିପିଲି, କୁନ୍ଦୁଲି, ଯାଜପୁର ଘଟଣାରେ ଶାସକ ଦଳର ସଦସ୍ୟ ସମ୍ପୃକ୍ତି ଥିବାବେଳେ ପୁରୀରେ ହୋଇଥିବା ଗଣଦୁଷ୍କର୍ମ ଘଟଣାରେ ଲୋକଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ପୋଲିସ କର୍ମଚାରୀ ସମ୍ପୃକ୍ତ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସବୁ କ୍ଷେତ୍ରରେ ସରକାର ତତ୍ପରତା ପ୍ରକାଶ କରୁଥିବାବେଳେ ସରକାର କଣ ପାଇଁ ନିଷ୍କ୍ରିୟ ଅଛି ବୋଲି ପରିଡା ପ୍ରକାଶ କରିଛନ୍ତି ।