ଭୁବନେଶ୍ବର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାରଙ୍କ ଦ୍ୱାରା ନିଆଯାଇଥିବା ଜନ ହିତକାରୀ ଯୋଜନା ରାଜ୍ୟବାସୀଙ୍କ ଜୀବନରେ ଅନେକ ସକରାତ୍ମକ ପରିବର୍ତ୍ତନ ଆଣିଛି । ୨୦୨୨ରେ ପୁଣି ଥରେ ୟୁପିବାସୀ ବିଜେପିକୁ ଆଶୀର୍ବାଦ କରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୪ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଆଜି(ଶନିବାର) କାନପୁରରେ ଆୟୋଜିତ କାନପୁର–ବୁନ୍ଦେଲଖଣ୍ଡ କ୍ଷେତ୍ରର କାର୍ଯ୍ୟକର୍ତ୍ତା ବୈଠକରେ ଯୋଗଦେଇ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବା ଅବସରରେ ଏପରି ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ୟୁପିରେ ୨୦୨୨ ନିର୍ବାଚନ ପାଇଁ ଏକ ବ୍ୟାପକ ରଣନୀତି ପ୍ରସ୍ତୁତ କରିବା ପାଇଁ ଦଳ ପକ୍ଷରୁ ବିଭିନ୍ନ ବୈଠକ ଅନୁଷ୍ଠିତ ହେଉଛି । ଦଳରେ ଅଢ଼େଇ କୋଟି ସକ୍ରିୟ ସଦସ୍ୟ ଥିବାବେଳେ ଆହୁରି ଦେଢ କୋଟି ସଦସ୍ୟଙ୍କୁ ଯୋଡ଼ିବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲକ୍ଷ୍ନୌରେ ‘ମେରା ପରିବାର, ବିଜେପି ପରିବାର’ ସଦସ୍ୟତା ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହାବ୍ୟତୀତ ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ନିର୍ବାଚନୀ ପ୍ରଚାର ଗାଡ଼ିର ମଧ୍ୟ ଶୁଭାରମ୍ଭ କରାଯାଇଛି ।