ଓଡିଶା

odisha

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ

By

Published : Oct 28, 2019, 1:40 PM IST

ପୁଣି ବିଜେପିର ଟାର୍ଗେଟରେ ରାଜ୍ୟ ସରକାର । ଆଉ ଏଥର ଟାର୍ଗେଟର ବିଷୟ ପାଲଟିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ।

ବିଜେପି ଟାର୍ଗେଟରେ ରାଜ୍ୟ ସରକାର

ଭୁବନେଶ୍ବର: ପୁଣି ବିଜେପିର ଟାର୍ଗେଟରେ ରାଜ୍ୟ ସରକାର । ଆଉ ଏଥର ଟାର୍ଗେଟର ବିଷୟ ପାଲଟିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ରାଜ୍ୟରେ ଏହି ଯୋଜନାରେ ଦୁର୍ନୀତି ଅଭିଯୋଗ ଆଣିଛି ବିଜେପି । ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର 3 ପଞ୍ଚାୟତର ତଥ୍ୟ ରଖି ରାଜ୍ୟ ସରକାରଙ୍କୁ ନିଶାନା କରିଛି ବିଜେପି ।

ବିଜେପି ଟାର୍ଗେଟରେ ରାଜ୍ୟ ସରକାର

ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲାର ଦାଉଦପୁର ପଞ୍ଚାୟତରେ ସମୁଦାୟ ପରିବାର ଯେତିକି ତା’ଠାରୁ ଅଧିକ ପରିବାରକୁ ଘର ଦିଆଯାଉଥିବା ଅଭିଯୋଗ ଆଣିଛି ବିଜେପି । 2011 ସାମାଜିକ-ଅର୍ଥନୈତିକ ସର୍ଭେ ଅନୁଯାୟୀ ପଞ୍ଚାୟତରେ 768 ଜଣ ଯୋଗ୍ୟ ହିତାଧିକାରୀ ଥିବା ବେଳେ 2018-19 ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଛନ୍ତି 1421 ପରିବାର । ଏଥିସହ ଅଧିକ 212 ପରିବାରକୁ ପୁଣି ଘର ଦେବା ପାଇଁ ମଧ୍ୟ ଚିହ୍ନଟ କରାଯାଇଛି ।

ସେହିପରି ଯମରା ପଞ୍ଚାୟତର ଚିହ୍ନଟ ହୋଇଥିବା 226 ପରିବାର ମଧ୍ୟରୁ 166 ଅଯୋଗ୍ୟ ବୋଲି ଅଭିଯୋଗ ଆଣିଛି ବିଜେପି । ଯେଉଁ ତାଲିକାରେ ସାମିଲ ରହିଛନ୍ତି ଗୋଟିଏ ପରିବାରର ଏକାଧିକ ସଦସ୍ୟଙ୍କ ସମେତ ଅନେକ ସମିତି ସଭ୍ୟ । ଏଥିସହ ମାହାଙ୍ଗା ବ୍ଲକ ମଉଦା ପଞ୍ଚାୟତରେ 2018-19ରେ ଅଯୋଗ୍ୟ 15 ପରିବାର 2019-20ରେ ଯୋଗ୍ୟ ବିବେଚିତ ହେଲେ କେମିତି ହେଲେ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା ଶାରଦା ପ୍ରଧାନ ।

ତାଙ୍କ କହିବା ମୁତାବକ ବାତ୍ୟା ଫନି ପରେ 19 ଜୁଲାଇରେ 3 ଲକ୍ଷ 89 ହଜାର ଲୋକଙ୍କୁ ପକ୍କା ଘର ଦେବାକୁ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିଥିଲେ । ଏହାପରେ 14 ଅକ୍ଟୋବରରେ 12 ଲକ୍ଷ 75 ହଜାର ଲୋକଙ୍କୁ ଘର ଦେବା ପାଇଁ ପୁଣି ଚିଠି ଲେଖାଗଲା । ବିଜେଡି କର୍ମୀ ଓ ଦଲାଲଙ୍କୁ ଘର ଦେବା ପାଇଁ ଏପରି ସଂଖ୍ୟା ବଢାଯାଇଥିବା ଅଭିଯୋଗ କରିଛନ୍ତି ଶାରଦା । ଯେଉଁ ଅଭିଯୋଗ ଆଧାରରେ 10 ଲକ୍ଷ ଅଯୋଗ୍ୟଙ୍କୁ ଆବାସ ଯୋଜନାରେ ସାମିଲ କରିଥିବା କହିଛନ୍ତି ନେତା ଶାରଦା ପ୍ରଧାନ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details