ଓଡିଶା

odisha

ETV Bharat / city

ପ୍ରକଳ୍ପ ଶ୍ରେୟ ପାଇଁ ଟଣାଓଟରା ବିଜେପି-ବିଜେଡି

‘ସ୍ବାମୀ ମରୁ ପଛେ ସଉତୁଣୀ ବିଧବା ହେଉ’ ବୋଲି କହି ରାଜ୍ୟ ସରକାରକୁ ଘେରିଛି ବିଜେପି । କେନ୍ଦ୍ରୀୟ ଯୋଜନାକୁ କାର୍ଯ୍ୟକାରୀ କରାଇ ବାହାବା ନେବାକୁ ପ୍ରୟାସ କରୁଛନ୍ତି ନବୀନ ସରକାର । କେନ୍ଦ୍ର ସରକାରଙ୍କ ପ୍ରକଳ୍ପକୁ ଜମି ନଯୋଗାଇ ତାମିଲ କମ୍ପାନୀକୁ ବିନା ପ୍ରତିବନ୍ଧକରେ ଜମି ଯୋଗାଉଛନ୍ତି ରାଜ୍ୟ ସରକାର । କେନ୍ଦ୍ରୀୟ ଯୋଜନାକୁ କାର୍ଯ୍ୟକାରୀ କଲେ, ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ବଢିବା ଭୟରେ ରାଜ୍ୟ ସରକାର କାର୍ଯ୍ୟକାରୀ କରୁନଥିବା ଅଭିଯୋଗ କରିଛି ବିଜେପି । ସେପଟେ ଏହି ଅଭିଯୋଗକୁ ଅମୂଳକ ବୋଲି କହିଛି ବିଜେଡ଼ି ।

ଡିଜାଇନ ଫଟୋ

By

Published : Aug 21, 2019, 6:00 PM IST

Updated : Aug 21, 2019, 7:31 PM IST

ଭୁବନେଶ୍ବର: ପାରାଦ୍ବୀପରେ ଥିବା ରିଫାଇନାରି ପ୍ରକଳ୍ପକୁ ପରିବର୍ଦ୍ଧିତ କରିବା ପାଇଁ ରାଜ୍ୟ ସରକାର ବ୍ୟୟ ମଞ୍ଜୁର କରିଛନ୍ତି 1 ଲକ୍ଷ କୋଟି । ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିରେ ରହିଛି ହଳଦିଆ ପେଟ୍ରୋକେମିକାଲ ଓ ତାଳଚେର ଫର୍ଟିଲାଇଜର । କେନ୍ଦ୍ର ସରକାର ବହୁପୂର୍ବରୁ ଏହି ପ୍ରକଳ୍ପ ଗୁଡିକୁ ମଞ୍ଜୁରୀ ଦେବା ସହ ରାଜ୍ୟ ସରକାରଙ୍କ ଏନଓସି ପାଇବା ପାଇଁ ଅପେକ୍ଷା କରିଥିଲେ । ଯାହାକୁ ନେଇ ସରକାରଙ୍କ ଉପରେ ପ୍ରଶ୍ନର ପାହାଡ଼ ଠିଆ କରିଛି ବିରୋଧି ବିଜେପି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କେନ୍ଦ୍ର ସରକାର ବହୁପୂର୍ବରୁ ଏହି ପ୍ରକଳ୍ପ ଗୁଡିକୁ ମଂଜୁରୀ ଦେବା ସହ ରାଜ୍ୟ ସରକାରଙ୍କ ଏନଓସି ପାଇବା ପାଇଁ ଅପେକ୍ଷା କରିଥିଲେ । କେନ୍ଦ୍ର ସରକାରଙ୍କର ପୁରୁଣା ପ୍ରକଳ୍ପକୁ ରାଜ୍ୟ ସରକାର ନିଜର ହୀନ ରାଜନୈତିକ କାରଣ ପାଇଁ ଅଟକାଇଥିଲେ, ସେହି ସବୁ ପ୍ରକଳ୍ପକୁ ମଞ୍ଜୁର କରି ଆଜି ଓଡିଆ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ।

ପ୍ରଧାନମନ୍ତ୍ରୀ ଯେଉଁ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି, ସେଥିପାଇଁ ସେତେବେଳ ରାଜ୍ୟ ସରକାର ଜମି ଦେଲେ ନାହିଁ କିମ୍ବା ସହଯୋଗ ମଧ୍ୟ କଲେ ନାହିଁ । ଏବେ କିନ୍ତୁ ସେହି ସବୁ ପ୍ରକଳ୍ପ ପାଇଁ ମଞ୍ଜୁର କରୁଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ପ୍ରକଳ୍ପ ଗୁଡିକୁ ରାଜ୍ୟ ସରକାର କାର୍ଯ୍ୟକାରୀ ନକରି ବିଳମ୍ବରେ କରିବା ରାଜ୍ୟ ବିକାଶରେ ଆଡିକାଠ ପକାଉଛନ୍ତି ବୋଲି ସମୀର ମହାନ୍ତି କହିଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମହାନ୍ତି କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କର ପୁରୁଣା ପ୍ରକଳ୍ପ ଗୁଡିକୁ ମଂଜୁରୀ ଦେଲେ ପ୍ରଧାନମନ୍ତ୍ରୀ ମୋଦି କାଳେ ନାଁ ନେଇଯିବେ, ସେଥିଲାଗି ହୀନ ମାନସିକତା ରଖି ଏହି ପ୍ରକଳ୍ପ ଗୁଡିକୁ ରାଜ୍ୟ ସରକାର ଅଟକାଇ ରଖିଥିଲେ ।

ସେହି ସବୁ ପ୍ରକଳ୍ପକୁ ମଜୁଂର କରି ଆଜି ଓଡିଆ ଲୋକଙ୍କୁ ଭୁଆଁ ବୁଲାଇବାକୁ ଅପଚେଷ୍ଟା କରୁଛନ୍ତି ରାଜ୍ୟ ସରକାର । ତାମିଲ୍ କମ୍ପାନୀ ଠାରୁ ଆରମ୍ଭ କରି ବିଭିନ୍ନ ଘରୋଇ କମ୍ପାନୀ ମାନଙ୍କୁ ବିନା ଦ୍ବିଧାରେ ରାଜ୍ୟ ସରକାର ଏନଓସି ଦେଉଥିବା ବେଳେ କେନ୍ଦ୍ରୀୟ ପ୍ରକଳ୍ପକୁ ଏନଓସି ଦେବାରେ ମୁଖ୍ୟମନ୍ତ୍ରୀଙ୍କୁ କଷ୍ଟ ହେଉଥିଲା । ନୀରବ ମୋଦୀ ସାଙ୍ଗରେ ଏମୟୁ କରି ୬୦-୭୦ ଏକର ବହୁମୂଲ୍ୟ ସମ୍ପତି ଦେଲେ ସରକାର । କିନ୍ତୁ କେନ୍ଦ୍ରୀୟ ପ୍ରକଳ୍ପ ପାଇଁ ବାଧକ ସାଜିଲେ । ଭଦ୍ରକର ଜାତୀୟ ରାଜପଥ କଡରେ ୧୯୭୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଟେକ୍ସଟାଇଲ ପାର୍କ ପାଇଁ ଆବଶ୍ୟକ ହେଉଥିବା ୭୫ ଏକର ଜମି ଓଡିଶା ସରକାର ଯୋଗାଇ ନାହାଁନ୍ତି । ଡେରାଶରେ ମୋରାଇନ୍ ଫୁଡ ପ୍ରସୋସିଂ ପ୍ଲାଂଟ ନିର୍ମାଣ ହେଲେ ଓଡିଆ ଲୋକମାନେ ଚିଙ୍ଗୁଡି କାରଖାନା କରି କାମ କରିପାରନ୍ତେ । ଭାରତ ସରକାର ପଇସା ଖର୍ଚ୍ଚ କରିବାକୁ ରାଜି ଥିଲେ ମଧ୍ୟ ରାଜ୍ୟ ସରକାର ଏଥିପାଇଁ ସହଯୋଗର ହାତ ବଢାଉନାହାନ୍ତି ବୋଲି କହିଛନ୍ତି ବିଜେପି ଉପ ସଭାପତି ।


ସେ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ବକ୍ସି ଜଗବନ୍ଧୁଙ୍କ ସ୍ମାରକୀ ପାଇଁ ମାଗଣାରେ ଜମି ଯୋଗାଇବା କଥା। କିନ୍ତୁ ଏପର୍ଯ୍ୟନ୍ତ ଜମି ଯୋଗାଇ ନାହଁନ୍ତି । ଏନଟିପିସିର ୧୦ ହଜାର କୋଟି ଟଙ୍କା ବ୍ୟୟରେ ୧୩୨୦ ମେଗାୱାଟ ତାଳଚେର ପ୍ରକଳ୍ପର ସଂପ୍ରସାରଣରେ ରାଜ୍ୟ ସରକାର ସହଯୋଗ କରୁନାହାନ୍ତି । ଦାମନଯୋଡି ଆଲୁମିନିୟମ ରିଫାଇନାରୀ ପ୍ରକଳ୍ପ ୨୦୧୭ରୁ ରାଜ୍ୟ ସରକାରଙ୍କ ଅସହଯୋଗ କାରଣରୁ ସ୍ଥଗିତ ରହିଛି । ରାଜ୍ୟ ସରକାର ଶିଳ୍ପାୟନକୁ ପ୍ରୋତ୍ସାହନ ଦେଉଥିବା କହୁଥିବା ବେଳେ ନାଲକୋକୁ ସହଯୋଗ କରୁନାହାନ୍ତି ବୋଲି ସମୀର ଅଭିଯୋଗ କରିଛନ୍ତି । ମୁଖ୍ୟ ଶାସନ ସଚିବ କିଛି ଦିନ ତଳେ ଫାଇଲ ସବୁ ରକେଟ ଗତିରେ ଦୌଡିବ ବୋଲି କହୁଥିଲେ । ସଡକ, ପରିବହନ ଓ ରାଜପଥରେ ୫୬ ହଜାର ୫୬୩ କୋଟି, ରେଳବାଇରେ ୧୨ ହଜାର ୨୮୬ କୋଟି, ଅଣ ପେଟ୍ରୋଲିୟମ ନିବେଶରେ ୧୫ ହଜାର ୪୧୩ କୋଟି , ସ୍ବାସ୍ଥ୍ୟ ଓ ଶିକ୍ଷାରେ ୫୬୦ କୋଟି ଏବଂ ପାଇକ ବିଦ୍ରୋହ ପାଇଁ ୨୦୦ କୋଟି ଟଙ୍କାର ପ୍ରକଳ୍ପ ବାଧାପ୍ରାପ୍ତ ହୋଇଛି । ଏହି ସବୁ ଫାଇଲକୁ ରାଜ୍ୟ ସରକାର କେବେ ରକେଟ ଗତିରେ ଦୌଡାଇବେ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି । ‘ସ୍ବାମୀ ପଛେ ମରୁ ସଉତୁଣି ବିଧବା ହେଉ’ ଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ଲୋକଙ୍କ ପାଖରେ ପଛେ ବିକାଶ ନପହଁଚୁ ମାତ୍ର ମୋଦିଙ୍କ ଲୋକପ୍ରିୟତାକୁ ରୋକିବାକୁ ଷଡଯନ୍ତ୍ର କରୁଛନ୍ତି ବୋଲି କଠୋର ସମାଲୋଚନା କରିଛନ୍ତି ସମୀର ମହାନ୍ତି । ସେପଟେ ବିଜେପିର ଅବିଯୋଗକୁ ନେଇ ଜବାବ ରଖିଛି ବିଜେଡି । ଦଳ ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ବିଜେପି ଅଭିଯୋଗର କୌଣସି ସତ୍ୟତା ନାହଁ। ରାଜ୍ୟ ସରକାର ପରିସ୍ଥିତି ଦେଖି ସବୁ ପ୍ରକଳ୍ପକୁ ମଞ୍ଜୁରୀ ଦେଇଥାନ୍ତି ବୋଲି କହିଛନ୍ତି ।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ତପନ ଦାସ, ଇଟିଭି ଭାରତ

Last Updated : Aug 21, 2019, 7:31 PM IST

ABOUT THE AUTHOR

...view details