ଓଡିଶା

odisha

ETV Bharat / city

ପକ୍କାଘର ଯୋଜନା ଶ୍ରେୟ କାହାର ? ଆବାସକୁ ନେଇ ବସନ୍ତ ପଣ୍ଡାଙ୍କ ଅଭିଯୋଗ - ପ୍ରଧାନମନ୍ତ୍ରୀ ଆବାସ

ବିଜେଡି ସମସ୍ତ କେନ୍ଦ୍ରୀୟ ଯୋଜନାକୁ ହଡପ କରି ନିଜ ନାମରେ ନାମିତ କରୁଛି । ରାଜ୍ୟ ସରକାର ବଜେଟରେ କୌଣସି ଅର୍ଥ ବ୍ୟୟ ନକରି କେନ୍ଦ୍ରୀୟ ଅର୍ଥରେ ଘର ବଣ୍ଟନ କରୁଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 23, 2019, 11:41 PM IST

ଭୁବନେଶ୍ବର: ରାଜ୍ୟ ସରକାର କ୍ରମାଗତ ଭାବରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ହଡପ କରି ନିଜ ନାଁରେ କରି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି । ରାଜ୍ୟକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆସୁଥିବା ପକ୍କାଘର ସବୁକୁ ରାଜ୍ୟ ସରକାର ‘ବିଜୁ ପକ୍କାଘର’ ଯୋଜନାରେ ପରିବର୍ତ୍ତନ କରି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି । ମୋଦି ସରକାର ଦେଶରେ ବିଭିନ୍ନ ପ୍ରକାରର ଜନହିତକର ଯୋଜନା ପ୍ରଣୟନ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଏଠି କେବଳ କେନ୍ଦ୍ରୀୟ ଯୋଜନାକୁ ହଡପ କରି ବାହାବା ନେଉଛନ୍ତି ସରକାର ।

ଏହା ସଂଘୀୟ ବ୍ୟବସ୍ଥାକୁ ବିରୋଧ କରୁଥିବାରୁ ଏହା ବିରୋଧରେ ରାଜ୍ୟ ବିଜେପି ଆଗାମୀ ୨୭ ତାରିଖ ଦିନ ରାଜ୍ୟର ସମସ୍ତ ୩୧୪ ବ୍ଲକ, ସମସ୍ତ ଏନଏସିଓ ମ୍ୟୁନିସପାଲିଟି ଘେରାଉ କରିବା ସହ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦିଆଯିବ ବୋଲି ରାଜ୍ୟ ସଭାପତି ତଥା ସାସଂଦ ବସନ୍ତ ପଣ୍ଡା କହିଛନ୍ତି ।


ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପଣ୍ଡା କହିଛନ୍ତି ଯେ, ୨୦୧୧ ଜନଗଣନା ଅନୁଯାୟୀ SECC ଲିଷ୍ଟ ଅନୁଯାୟୀ ସ୍ଥାନୀୟ ପଞ୍ଚାୟତ ଅଧିକାରୀ ଗରିବ ହିତାଧିକାରୀ ସୂଚୀ ତଦାରଖ କରିବା କଥା । କିନ୍ତୁ ଏହି ସୂଚୀକୁ ଦଳୀୟ ଆଧାରରେ ତିଆରି କରି ପ୍ରକୃତ ହିତାଧିକାରୀଙ୍କୁ ଯୋଜନାରୁ ବଞ୍ଚିତ କରାଯାଉଛି । ଗୋଟିଏ ପରିବାରରୁ ୨ରୁ ୩ ଜଣଙ୍କ ନାଁରେ ପକ୍କାଘର ଦିଆଯାଉଛି ।

ପଣ୍ଡା ଅଭିଯୋଗ କରିଛନ୍ତି ଏହି କାର୍ଯ୍ୟାଦେଶରେ ପ୍ରଧାନମନ୍ତ୍ରୀ ଆବାସ ବୋଲି ଉଲ୍ଲେଖ ହେବା କଥା। କାର୍ଯ୍ୟାଦେଶକୁ ପଞ୍ଚାୟତ ଓ ବ୍ଲକରେ ଦିଆନଯାଇ ବିଧାୟକଙ୍କ ସମୟ ସୁବିଧା ଅନୁସାରେ ବଣ୍ଟନ ପାଇଁ ସ୍ଥଗିତ ରଖାଯାଉଛି । ଯଦ୍ବାରା ଘର ତିଆରିରେ ବିଳମ୍ବ ହେବା ସହ ଲକ୍ଷ୍ୟ ପୂରଣ ହେବାରେ ଅସୁବିଧା ହେଉଛି ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ହାଉସିଂଙ୍ଗ ଫର ଅଲ୍ ୨୦୨୨’ ଅନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସମସ୍ତଙ୍କୁ ପକ୍କା ଘର ଯୋଗାଇଦେବେ ବୋଲି କହିଛନ୍ତି ।

ସେଥିପାଇଁ ବ୍ୟାପକ ଅର୍ଥ ଓଡିଶାକୁ ଆସୁଅଛି । କିନ୍ତୁ ଏଠି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନାଁ ଧରୁନାହାଁନ୍ତି । ଚଳିତ ବଜେଟରେ ବିଜୁ ପକ୍କାଘର ଯୋଜନାରେ ଟଙ୍କାଟିଏ ଅର୍ଥ ବରାଦ କରିନାହାଁନ୍ତି ରାଜ୍ୟ ସରକାର । ରାଜ୍ୟରେ ଗରିବ ଲୋକଙ୍କୁ ମିଳୁଥିବା ସମସ୍ତ ପକ୍କାଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେଉଛି ।

ତଥ୍ୟଦେଇ ବସନ୍ତ କହିଛନ୍ତି ୧୧ ସେପ୍ଟେମ୍ବର ୨୦୧୮ରେ ବିଧାନସଭା ପ୍ରଶ୍ନର ଉତ୍ତରରେ ରାଜ୍ୟସରକାର କହିଥିଲେ ରାଜ୍ୟର ସମୁଦାୟ ୨୦ ଲକ୍ଷ ପକ୍କାଘରରୁ ୩ ଲକ୍ଷ ୭୭ ହଜାର ହେଉଛି ବିଜୁ ପକ୍କା ଘର ଆଉ ବାକି ୧୬ ଲକ୍ଷ ୨୩ ହଜାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଇଛି । ପଣ୍ଡା ଦାବି କରିଛନ୍ତି କେନ୍ଦ୍ର ସରକାରଙ୍କ ଅର୍ଥରେ ହେଉଥିବା ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲେଖିବା ସହ ଦଳୀୟ ଭିତ୍ତିରେ ଘର ନଦିଆଯାଇ ପ୍ରକୃତ ହିତାଧିକାରୀକୁ ପକ୍କାଘର ବଣ୍ଟନ କରାଯାଉଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details