ଭୁବନେଶ୍ବର:ରାଜ୍ୟ ନିର୍ବାଚନ କମିଶନଙ୍କ ବିରୋଧରେ ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେପି । ଦଳର ବରିଷ୍ଠ ନେତା ଟ୍ବିଟ୍ କରି ନିର୍ବାଚନ କମିଶନଙ୍କୁ ସମନ ଜାରି ପାଇଁ ରାଜ୍ୟପାଳଙ୍କୁ ଅପିଲ କରିଛନ୍ତି । ତିନି ବର୍ଷ ହେଲା କାହିଁକି ପୌରନିର୍ବାଚନ ଅନୁଷ୍ଠିତ ହୋଇନାହିଁ ? ସେ ନେଇ ଜବାବ ମାଗିବାକୁ ରାଜ୍ୟପାଳଙ୍କୁ ଅପିଲ କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ । ରାଜ୍ୟରେ ପୌରନିର୍ବାଚନ ଅବଧି ଶେଷ ହୋଇ ତିନି ବର୍ଷ ବିତି ଗଲାଣି କିନ୍ତୁ ରାଜ୍ୟ ନିର୍ବାଚନ କମିଶନ ଏନେଇ ଧ୍ୟାନ ଦେଉନାହାଁନ୍ତି । ଫଳରେ ନିର୍ବାଚନ କମିଶନ, ତାଙ୍କ ସାମ୍ବିଧାନିକ କର୍ତ୍ତବ୍ୟ ପୂରଣରେ ଅବହେଳା କରିବା ସହିତ ଜନସାଧାରଣଙ୍କ ସାମ୍ବିଧାନିକ ଅଧିକର କ୍ଷୁର୍ଣ୍ଣ କରିଛନ୍ତି ବୋଲି ଅଭିଯୋଗ କରିଛି ଦଳ ।
ପୌରନିର୍ବାଚନକୁ ନେଇ ରାଜ୍ୟ ବିଜେପି ମୁଖପାତ୍ର କହିଛନ୍ତି, ନିର୍ବାଚନ କମିଶନ ତାଙ୍କ ସାମ୍ବିଧାନିକ ମୂଲ୍ୟବୋଧକୁ କାଏମ ରଖିବାରେ ବିଫଳ ହୋଇଛନ୍ତି । 3 ବର୍ଷ ଧରି ପୌର ନିର୍ବାଚନ ନହେବା ଫଳରେ ଲୋକେ ସାମ୍ବିଧାନକ ଅଧିକାରରୁ ବଞ୍ଚିତ ହୋଇଛନ୍ତି । ପୌର ନିର୍ବାଚନ ନକରି, ସରକାରୀ କଳ ଏବଂ ଅମଲାତନ୍ତ୍ର ଶାସନ ପାଇଁ ଏକପ୍ରକାର ପ୍ରୋତ୍ସାହନ କରିଛନ୍ତି ନିର୍ବାଚନ କମିଶନ । ଏପରିକି ନିର୍ବାଚନ କମିଶନ ଏକ ସ୍ବାଧୀନ ଏବଂ ନିରପେକ୍ଷ ସାମ୍ବିଧାନିକ ପ୍ରତିଷ୍ଠାନ ହୋଇଥିଲେ ମଧ୍ୟ ନବୀନ ସରକାରଙ୍କ ଅଧିନରେ ଥିବା ଭଳି କାର୍ଯ୍ୟ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।