ଭୁବନେଶ୍ବର: ବୁଧବାର ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ପରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି, ''ପ୍ରଧାନମନ୍ତ୍ରୀଙ୍କ 8 ବର୍ଷ କାର୍ଯ୍ୟକାଳ ଓଡିଶା ପାଇଁ ସୁବର୍ଣ୍ଣ ସମୟ । ଏହି ସମୟ ମଧ୍ୟରେ ସେବା, ସୁଶାସନ ଏବଂ ଗରିବ କଲ୍ୟାଣର ପ୍ରୟୋଗଶାଳ ହୋଇଛି । ସାଢ଼େ ଚାରିକୋଟି ଓଡ଼ିଆ ଲୋକଙ୍କ ଆଶା ଆକାଂକ୍ଷାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂରଣ କରିଛନ୍ତି । ଜଣେ ଓଡ଼ିଆ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବାଛିଛନ୍ତି ।'' ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ଅଗ୍ନିବୀର ଯୋଜନା ଭଳି ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛି ବିଜେପି ।
ପ୍ରଧାନମନ୍ତ୍ରୀଙ୍କ 8 ବର୍ଷ କାର୍ଯ୍ୟକାଳ ଓଡିଶା ପାଇଁ ସୁବର୍ଣ୍ଣ ସମୟ: ବିଜେପି
ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପରେ ଦଳର ମୁଖପାତ୍ର ସତ୍ୟବ୍ରତ ପଣ୍ଡାଙ୍କ ପ୍ରେସମିଟ୍ । ପ୍ରଧାନମନ୍ତ୍ରୀଙ୍କ 8 ବର୍ଷ କାର୍ଯ୍ୟକାଳ ଓଡିଶା ପାଇଁ ସୁବର୍ଣ୍ଣ ସମୟ କହିଲା ରାଜ୍ୟ ବିଜେପି । ଅଧିକ ପଢନ୍ତୁ
ଆକାଂକ୍ଷା ଜିଲ୍ଲା ତାଲିକାରେ ଓଡ଼ିଶାର 10 ଜିଲ୍ଲା ସାମିଲ ହୋଇଛି । ଉଡାଣ ଯୋଜନାରେ ଜୟପୁର, ଝାରସୁଗୁଡା ଓ ରାଉରକେଲା ସହରକୁ ସାମିଲ କରାଯାଇଛି । ପିଏମ ଗତି ଯୋଜନାରେ ଓଡିଶାକୁ ପ୍ରାଧାନ୍ୟ ମିଳିଛି । ଭାରତମାଳା ଓ ସାଗରମାଳା ପ୍ରକଳ୍ପ ଦ୍ବାରା ଓଡ଼ିଶା ପର୍ଯ୍ୟଟନ ଓ ଅର୍ଥନୀତିର ବିକାଶ ଦିଗରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଫନି, ଅମ୍ଫାନ, ହୁଡହୁଡ଼, ୟସ୍ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡ଼ିଶା ସହିତ ଛିଡା ହୋଇଛନ୍ତି ମୋଦି ସରକାର । ଏଥିସହିତ 1817 ପାଇକ ବିଦ୍ରୋହକୁ ଜାତୀୟ ମାନ୍ୟତା ସହ ପାଠ୍ୟ ପୁସ୍ତକରେ ସାମିଲ କରାଯାଇଛି । ଖୋର୍ଦ୍ଧା ବରୁଣେଇରେ ପାଇକ ସ୍ମାରକୀ ଶିଳାନ୍ୟାସ ଏବଂ 200 କୋଟିର ସହାୟତା ପ୍ରଦାନ କରାଯାଇଛି ।
3 ଜଣ ଓଡ଼ିଆଙ୍କୁ ରାଜ୍ୟପାଳ ଦାୟିତ୍ୱ, 5 ଜଣଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ କରିଛନ୍ତି । ବହୁବିଶିଷ୍ଟ ବ୍ୟକ୍ତିବିଶେଷ ମାନଙ୍କୁ ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମଭିଭୂଷଣ ଭଳି ସମ୍ମାନ ଏବଂ ସାହିତ୍ୟ ଏକାଡେମୀ ପୁରସ୍କାର ଦିଆଯାଇଛି । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର, ଆଇଏମଡ଼ି ନିର୍ଦ୍ଦେଶକ, ଏନବିଆଇ ନିର୍ଦ୍ଦେଶକ, ଏନଡ଼ିଆରଫ ଡ଼ିଜି ଏବଂ ସେନାବାହିନୀରେ ଓଡିଆ ଗୁରୁତ୍ୱପୂର୍ଣ୍ଣ ପଦବୀ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟ କାର୍ଯ୍ୟକାରିଣୀରେ ଧନ୍ୟବାଦ ଦିଆଯାଇଛି ।