ଓଡିଶା

odisha

ETV Bharat / city

ମନରେଗାରେ ମହାଦୁର୍ନୀତି; ବିଜେଡ଼ି ନେତାଙ୍କୁ ଜବ କାର୍ଡ, କୋର୍ଟ ଯିବ ବିଜେପି - ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା

ମନରେଗା ଯୋଜନାରେ ମହାଦୁର୍ନୀତି । ଅଯୋଗ୍ୟ ହିତାଧିକାରୀ ଓ ବିଜେଡି ନେତା ଓ କର୍ମୀଙ୍କୁ ମିଳିଛି ଜବ କାର୍ଡ । ସେପଟେ ଶ୍ରମିକଙ୍କ ବଦଳରେ ମେସିନ କରୁଛି କାମ । ବିରୋଧ କିମ୍ବା ଅଭିଯୋଗ କଲେ ମିଳୁଛି ଓଲଟି ଧମକ । ସାମ୍ବାଦିକ ସମ୍ମିଳନୀ କରି ଚେତାବନୀ ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ଅଧିକ ପଢନ୍ତୁ...

BJP Pressmeet on MGNREGA corruption
ମନରେଗାରେ ମହାଦୁର୍ନୀତି; ବିଜେଡ଼ି ନେତାଙ୍କୁ ଜବ କାର୍ଡ, କୋର୍ଟ ଯିବ ବିଜେପି

By

Published : Aug 2, 2021, 5:08 PM IST

ଭୁବନେଶ୍ବର:ରାଜ୍ୟରେ ମନରେଗା ଯୋଜନାରେ ହୋଇଛି ମହାଦୁର୍ନୀତି । ଅଯୋଗ୍ୟ ହିତାଧିକାରୀ ଓ ବିଜେଡି ନେତା ଓ କର୍ମୀଙ୍କୁ ମିଳିଛି ଜବ କାର୍ଡ । ସେପଟେ ଶ୍ରମିକଙ୍କ ବଦଳରେ ମେସିନ କରୁଛି କାମ । ବିରୋଧ କିମ୍ବା ଅଭିଯୋଗ କଲେ ମିଳୁଛି ଓଲଟି ଧମକ । ଏହାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇବ ବିଜେପି । ରାଜ୍ୟ ସରକାର ପଦକ୍ଷେପ ନନେଲେ ସିବିଆଇ ତଦନ୍ତ ଲାଗି କୋର୍ଟକୁ ଯିବ ବିଜେପି । ସାମ୍ବାଦିକ ସମ୍ମିଳନୀ କରି ଚେତାବନୀ ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।

ମନରେଗାରେ ମହାଦୁର୍ନୀତି; ବିଜେଡ଼ି ନେତାଙ୍କୁ ଜବ କାର୍ଡ, କୋର୍ଟ ଯିବ ବିଜେପି

ବିଜେପି କହିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ମନରେଗା ଯୋଜନାରେ ହଜାର ହଜାର କୋଟି ଅନୁଦାନ ଦେଉଛନ୍ତି । ହେଲେ ସେ ଅର୍ଥ ରାଜ୍ୟରେ ହରି ଲୁଟ ହେଉଛି । ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ରୋଜଗାର ଯୋଗାଇବା ମନରେଗା ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । ଓଡିଶାରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକମାନେ ଅନ୍ୟ ରାଜ୍ୟକୁ ପ୍ରବାସୀ ଶ୍ରମିକ ଭାବେ ଯାଉଛନ୍ତି । ରାଜ୍ୟ ସରକାର ଓଡିଶାରେ ସେମାନଙ୍କୁ କାମ ଯୋଗାଇ ପାରୁନାହାନ୍ତି । କୋଭିଡ ସମୟରେ ଲକ୍ଷ ଲକ୍ଷ ଶ୍ରମିକ ଅନ୍ୟ ରାଜ୍ୟରୁ ଓଡିଶାକୁ ଫେରିଲେ ।

କେନ୍ଦ୍ର ସରକାର ମନରେଗା ଯୋଜନାରେ ବ୍ୟାପକ ଅର୍ଥ ବରାଦ କରିଛନ୍ତି । ଗତ 7 ବର୍ଷ ଭିତରେ କେନ୍ଦ୍ର ସରକାର 16 ହଜାର କୋଟି ଯୋଗାଇ ଦେଇଛନ୍ତି । ଗତ ମହାମାରୀ ସମୟରେ ମନରେଗା ଯୋଜନାରେ 2020-21 ଆର୍ଥିକ ବର୍ଷରେ 4436 କୋଟି ଟଙ୍କା ଓଡିଶାକୁ ମିଳିଛି । ଯାହାକି 7 ବର୍ଷ ଭିତରେ ସର୍ବାଧିକ । କିନ୍ତୁ ରାଜ୍ୟ ସରକାର ଗରିବଙ୍କୁ କାମ ଯୋଗାଇବାରେ ନୈତିକତା ଦେଖାଗଲା ନାହିଁ ।

ଓଡିଶା ଏକ ମାତ୍ର ରାଜ୍ୟ ଯେଉଁଠି 100 ପ୍ରତିଶତ କାମ ଜେସିବି ମେସିନ ଲଗାଇ ହୋଇଛି । ଲୋକ କାମ କରୁନାହାନ୍ତି । 40 ପ୍ରତିଶତରୁ ଅଧିକ କାମରେ ଫ୍ଲସ୍ ବିଲ ହୋଇଛି । ଠିକ୍ ସେ ତଦନ୍ତ କଲେ ଅନେକ ସରକାରୀ ଅଫିସର ସସପେଣ୍ଡ ହେବେ । ଯୋଜନାର ହିତାଧିକାରୀ ଗରିବ ଲୋକ ନା ବିଜେଡ଼ି ନେତା ତାହା ରାଜ୍ୟ ସରକାର ଉତ୍ତର ଦିଅନ୍ତୁ ବୋଲି ବିଜେପି କହିଛି ।

କଟକ ଜିଲ୍ଲାର ବାଙ୍କୀ ଡ଼ମପଡା ବ୍ଲକ କୁସୁପାଙ୍ଗି ପଞ୍ଚାୟତରେ ମନରେଗାରେ ମହାଦୁର୍ନୀତି ହୋଇଛି । ସ୍ଥାନୀୟ ସରପଞ୍ଚ ପୁଷ୍ପଲତା ପରିଡାଙ୍କ ପରିବାରରେ 6 ଜଣ ଜବ କାର୍ଡ ହୋଲ୍ଡର । ସରପଞ୍ଚଙ୍କ ଶଶୁର ଘର 2ଟି କୋଠା ଓ 3ଟି ଗାଡି ଅଛି । ପରିବାର ଥାଇଲାଣ୍ଡ ବୁଲିବାକୁ ଯାଇଛନ୍ତି । ସରପଞ୍ଚଙ୍କ ଶାଶୁଙ୍କ ନାଁରେ 3ଟି ଗାଡି । ଗୋଟିଏ ବୋଲେରୋ, ଗୋଟିଏ ସ୍କର୍ପିଓ ଓ ଗୋଟିଏ ଅନ୍ୟ ଗାଡି ରହିଛି । ଯେଉଁ କାମ ମନରେଗାରେ ହୋଇଛି ତାଙ୍କ ଶଶୁର, ଶାଶୁ, ଦେଢ଼ସୁର ଓ ଯାଆଙ୍କ ନାଁ ମଷ୍ଟର ରୋଲରେ ଏଣ୍ଟ୍ରି ହୋଇଛି । ତାଙ୍କ ଶଶୁର ସେ ଅଂଚଳର କଣ୍ଟ୍ରୋଲ ଡିଲର ଅଛନ୍ତି । ସରପଞ୍ଚଙ୍କ ସ୍ୱାମୀ ଡ଼ମପଡା ବ୍ଲକର ବିଜେଡ଼ି ଯୁବ ସଭାପତି । ସେ ଅଞ୍ଚଳର ଭେଣ୍ଡର୍ ମଧ୍ୟ ସରପଞ୍ଚଙ୍କ ସ୍ୱାମୀ ଅସିତ ଜେନା । ଚୋରି କରିବାର ଗୋଟିଏ ସୀମା ଅଛି । କିନ୍ତୁ ସାଧାରଣ ଲୋକଙ୍କ ପେଟରେ ଲାତ ମାରି ଚୋରି କରାଇବାରେ ଅଭ୍ୟସ୍ତ ବିଜେଡ଼ି । ଅନେକ ଜାଗାରେ ପୋଖରୀ ନଥାଇ, ରାସ୍ତାରେ ଗୋଡି ନ ପଡ଼ି ବିଲ ହେଉଛି ।

ସେହିପରି ବୁଗୁଡା ବ୍ଲକ ଭରତପୁର ପଞ୍ଚାୟତରେ ବଡ଼ ବନ୍ଧ ନିର୍ମାଣ ପାଇଁ 5955 କୋଟିର ବ୍ୟୟ ଅଟକଳ ହୋଇଛି । ହେଲେ କେଉଁଠି ବନ୍ଧ ନିର୍ମାଣ ହୋଇନାହିଁ ।ତେବେ ଫଳକ ମରାଯାଇ ଟଙ୍କା ଆତ୍ମସାତ କରାଯାଇଛି । 100 ପ୍ରତିଶତ ନକଲି ବିଲ ହୋଇଛି । ବିଜେପି ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଏ ନେଇ ଅଭିଯୋଗ କରିଛନ୍ତି । ହେଲେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଜିଲ୍ଲାପାଳ ଲୋକ ଲଗାଇ ଧମକ ଦେଉଛନ୍ତି । ଜଣେ ମୃତ ଵ୍ୟକ୍ତିଙ୍କ ନାଁରେ ବିଲ ହୋଇଛି । ଯାହାଙ୍କର ମୃତ୍ୟୁ ଦୁଇ ବର୍ଷ ପୂର୍ବରୁ ହୋଇସାରିଲାଣି । ପୋଲସରା ବ୍ଲକରେ ଆଦର୍ଶ ପୋଖରୀ ବଡ଼ ବନ୍ଧ କରିବା ନାଁରେ 10 ଲକ୍ଷ ଟଙ୍କାର ଅଟକଳ ଦେଖାଇଛନ୍ତି । ହେଲେ ବନ୍ଧ ତିଆରି ହୋଇନାହିଁ । ସେହିପରି ଖଲ୍ଲିକୋଟ ବ୍ଲକରେ ପୋଖରୀରେ 15 ଲକ୍ଷ ଟଙ୍କା ବ୍ୟୟ ହୋଇଛି ବୋଲି ଫଳକ ମରାଯାଇଛି । କିନ୍ତୁ କୌଣସି କାମ ହୋଇନାହିଁ ।

ଏନେଇ 314 ବ୍ଲକ ଓ 6 ହଜାର ପଞ୍ଚାୟତରେ ମନରେଗା ଯୋଜନାରେ ହଡ଼ପକୁ ବିରୋଧ କରିବ ବିଜେପି । 314 ବ୍ଲକରୁ 314ଟି ସାମ୍ପୁଲ ବା ପ୍ରମାଣ ସହ ରାଜ୍ୟପାଳଙ୍କୁ ଓ କେନ୍ଦ୍ର ପଞ୍ଚାୟତରାଜ ମନ୍ତ୍ରୀଙ୍କୁ ଭେଟିବ ବିଜେପି । ଏହେକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବ ବିଜେପି । ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ କୋର୍ଟକୁ ଯିବ ଦଳ । ରାଜ୍ୟ ସରକାରଙ୍କୁ 15 ଦିନ ସମୟ ଦେଇଛି ଦଳ । ରାଜ୍ୟ ସରକାର ଯଦି ସ୍ୱୀକାର କରି କାର୍ଯ୍ୟାନୁଷ୍ଠାନ ନନିଅନ୍ତି ତେବେ ବିଜେପି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଦଳର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଚେତାବନୀ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ABOUT THE AUTHOR

...view details