ଭୁବନେଶ୍ବର: ଧାମନଗର ଉପନିର୍ବାଚନ(Dhamnagar Bypoll) ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଦିବଙ୍ଗତ ପୂର୍ବତନ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୂରଜଙ୍କୁ(Suryabanshi Suraj BJP Candidate ) ପ୍ରାର୍ଥୀ କରିଛି ବିଜେପି । ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ ହେବ । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ସୂର୍ଯ୍ୟବଂଶୀ ସୂରଜଙ୍କ ନାମରେ ମୋହର ମାରିଛି ।
ବିଷ୍ଣୁ ସେଠୀଙ୍କ ମୃତ୍ୟୁ ପରେ ଧାମନଗର ବିଧାନସଭା ଆସନ ଖାଲି ପଡ଼ିଛି । ଭାରତୀୟ ଜନତା ଯୁବ ମୋର୍ଚ୍ଚାର ସଂଯୋଜକ ଭାବରେ କାର୍ଯ୍ୟ କରୁଥିଲେ ସୂର୍ଯ୍ୟବଂଶୀ ସୂରଜ । ସକ୍ରିୟ ଭାବରେ ରାଜନୀତିରେ ରହି ସେ ଲୋକଙ୍କ ନିକଟରେ ପହଞ୍ଚିଛନ୍ତି । ବିଷ୍ଣୁସେଠୀଙ୍କ ମୃତ୍ୟୁ ପରେ ତାଙ୍କୁ ହିଁ ଧାମନଗରର ଉତ୍ତରାଧିକାରୀ ଭାବରେ ଦେଖୁଛି ବିଜେପି । ଏହାପୂର୍ବରୁ ବିଷ୍ଣୁ ସେଠୀଙ୍କୁ ନିର୍ବାଚନ ସଞ୍ଚାଳନ କରିବାରେ ସାହାଯ୍ୟ କରୁଥିଲେ ସୂର୍ଯ୍ୟବଂଶୀ ସୂରଜ । ତାସହ ଅନ୍ୟାନ୍ୟ ଜନହିତକର କାର୍ଯ୍ୟରେ ମଧ୍ୟ ବିଷ୍ଣୁଙ୍କ ସହ ସୂର୍ଯ୍ୟବଂଶୀଙ୍କୁ ଦେଖିବାକୁ ମିଳିଥିଲା ।