ଭୁବନେଶ୍ବର: ମହିଳାଙ୍କ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବ ରାଜ୍ୟ ବିଜେପିର ମହିଳା ମୋର୍ଚ୍ଚା । ଏନେଇ ବସିଥିବା ମହିଳା ବିଜେପିର ପ୍ରଥମ ପଦାଧିକାରୀ ବୈଠକ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ କାର୍ଯ୍ୟାଳୟରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଏନେଇ ପ୍ରସ୍ତୁତ ହୋଇଛି ରୋଡ଼ ମ୍ୟାପ ।
ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି ଯୋଗ ଦେଇ ତ୍ରିସ୍ତରୀୟ ଭାବେ ସଙ୍ଗଠନକୁ ଆଗକୁ ନେବା ପାଇଁ ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତାଙ୍କୁ ଆହ୍ଵାନ ଜଣାଇଛନ୍ତି । ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଛି । ବିଶେଷ କରି ମହିଳାଙ୍କ ପ୍ରତି ଅସଦାଚରଣ ଓ ଦୁଷ୍କର୍ମ ଭଳି ଅପରାଧ ବୃଦ୍ଧି ପାଇଛି । ଆଗାମୀ ଦିନରେ ମହିଳାଙ୍କ ସୁରକ୍ଷା, ସମ୍ମାନ ଓ ଅଧିକାର ପାଇଁ ମହିଳା ମୋର୍ଚ୍ଚା ତୃଣମୂଳସ୍ତରରୁ ଲଢେଇ ଆରମ୍ଭ କରିବା ପାଇଁ ସମୀର ପରାମର୍ଶ ଦେଇଛନ୍ତି । ମୋଦି ସରକାର ଦେଶର ଶିଶୁ ଓ ମହିଳାମାନଙ୍କ ପ୍ରତି ସମର୍ପିତ ।
ମହିଳାଙ୍କ ସ୍ବାସ୍ଥ୍ୟ ଓ ପୋଷଣଠାରୁ ଆରମ୍ଭ କରି ସାମାଜିକ ସୁରକ୍ଷା ପର୍ଯ୍ୟନ୍ତ ମୋଦି ସରକାର ବ୍ୟାପକ ଯୋଜନା ଲାଗୁ କରିଛନ୍ତି । କିନ୍ତୁ ରାଜ୍ୟ ସରକାର ଏହି ଯୋଜନାକୁ ନିଜ ନାଁରେ ବ୍ରାଣ୍ଡି କରି ଶ୍ରେୟ ନେବାର ଅପଚେଷ୍ଟା କରୁଛନ୍ତି । ଅନେକ ଯୋଜନା ତୃଣମୂଳସ୍ତରରେ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଁଚି ପାରୁନାହିଁ ।