ଭୁବନେଶ୍ବର: ମହିଳା ମୋର୍ଚ୍ଚା ଜିଲ୍ଲା ସଭାପତି ଏବଂ ପ୍ରଭାରୀ ବୈଠକ ଅନୁଷ୍ଠିତ । ଘର ଘର ବୁଲି କେନ୍ଦ୍ରୀୟ ଯୋଜନାର ପ୍ରଚାର କରିବେ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ସ୍ମୃତି ପଟ୍ଟନାୟକ । କେନ୍ଦ୍ର ସରକାରଙ୍କ ସମସ୍ତ ଜନକଲ୍ୟାଣ ଯୋଜନା ଏବଂ ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନେ ଆଗାମୀ ଦିନରେ ଘର ଘର ବୁଲି ରାଜ୍ୟବାସୀଙ୍କୁ ଅବଗତ କରାଇବା ସହ ସଚେତନ କରାଇବେ ବୋଲି ସ୍ମୃତି ପଟ୍ଟନାୟକ କହିଛନ୍ତି ।
ସେହିପରି ସେ କହିଛନ୍ତି ଯେ, ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ମହିଳା ସଶକ୍ତିକରଣ ପାଇଁ ବହୁ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି । ଉଜ୍ଜଳା, ବେଟି ବଚାଓ-ବେଟି ପଢାଓ, ଜନନୀ ସୁରକ୍ଷା ଯୋଜନା, ପୋଷଣ ଯୋଜନା, କିଶୋରୀ ଶକ୍ତି ଯୋଜନା, ସ୍ୱଧାର ଗୃହ ଆଦି ବହୁ କଲ୍ୟାଣକାରୀ ଯୋଜନାକୁ ସଫଳ ରୂପାୟନ କରିଛନ୍ତି । ସ୍ବୟଂ ସହାୟିକା ଗୋଷ୍ଠୀ ଜରିଆରେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବାର ପ୍ରୟାସ ଅତ୍ୟନ୍ତ ସ୍ବାଗତଯୋଗ୍ୟ ପଦକ୍ଷେପ । ମାତ୍ର ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଏ ସମସ୍ତ ଯୋଜନାର ସୁଫଳ ରାଜ୍ୟର ଅଗଣିତ ଗାଁର ଭଉଣୀମାନେ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ।