ଓଡିଶା

odisha

ETV Bharat / city

ନବୀନ ନିବାସରେ ବିଜେପିର ତୁଙ୍ଗ ନେତା

ନବୀନ ନିବାସରେ ରାଜ୍ୟ ବିଜେପିର ଦୁଇ ତୁଙ୍ଗ ନେତା ଲେଖାଶ୍ରୀ ସାମନ୍ତସିଂହାର ଏବଂ ସମୀର ମହାନ୍ତି । ଏମାନଙ୍କ ସହ ଆସିଛନ୍ତି ସାରସକଣା ବିଜେପି ପ୍ରାର୍ଥୀ ଭୂଦାନ ମୂର୍ମୁ । ଦଳର ଏହି ତିନି ବରିଷ୍ଠ ନେତା ନବୀନ ନିବାସ ବାହାରେ ଅପେକ୍ଷା କରିବା ସାଧାରଣରେ ବେଶ ଉତ୍କଣ୍ଠା ସୃଷ୍ଟି କରିଥିଲା ।

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍‌, ଇଟିଭି ଭାରତ

By

Published : Apr 3, 2019, 8:44 PM IST

ଭୁବନେଶ୍ବର: ସାଧାରଣରେ ସୃଷ୍ଟି ହୋଇଥିଲା ଚହଳ । ଦଳ ବଦଳ ରାଜନୀତିରେ ବର୍ତ୍ତମାନ ଓଡିଶା ପାଣିପାଗ ସରଗରମ ଥିବାବେଳେ ନବୀନ ନିବାସରେ ଆଜି ଦେଖାଯାଇଛନ୍ତି ରାଜ୍ୟ ବିଜେପିର ଦୁଇ ତୁଙ୍ଗ ନେତା । ଯାହାକୁ ନେଇ ସାଧାରଣରେ ଉତ୍କଣ୍ଠା ପ୍ରକାଶ ପାଇଥିଲା ।

ନବୀନ ନିବାସକୁ ଆଜି ଆସିଥିଲେ ରାଜ୍ୟ ବିଜେପିର ଦୁଇ ତୁଙ୍ଗ ନେତା ଲେଖାଶ୍ରୀ ସାମନ୍ତସିଂହାର ଏବଂ ସମୀର ମହାନ୍ତି । ଏମାନଙ୍କ ସହ ଥିଲେ ସାରସକଣା ବିଜେପି ପ୍ରାର୍ଥୀ ଭୂଦାନ ମୂର୍ମୁ । ଦଳର ଏହି ତିନି ବରିଷ୍ଠ ନେତା ନବୀନ ନିବାସ ବାହାରେ ଅପେକ୍ଷା କରିବା ସାଧାରଣରେ ବେଶ ଉତ୍କଣ୍ଠା ସୃଷ୍ଟି କରିଥିଲା । ତେବେ କିଛି ସମୟ ପରେ ଏହି ସନ୍ଦେହ ଦୂର ହୋଇଥିଲା । ଏହି ତିନି ନେତା ବିଜେଡିରେ ଯୋଗ ଦେବାକୁ ନୁହେଁ, ବରଂ ରାଜ୍ୟ ସରକାରଙ୍କ ଉଦାସୀନତା ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଆସିଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ୍‌, ଇଟିଭି ଭାରତ

ଦଳର ପ୍ରାର୍ଥୀ ଭୂଦାନ ମୂର୍ମୁ ଗତ ଅକ୍ଟୋବର ମାସରୁ ସରକାରୀ ଚାକିରୀରୁ ଇସ୍ତଫା ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କ ଇସ୍ତଫା ପତ୍ର ଗ୍ରହଣ ହୋଇନି । 1992ରୁ ଚାକିରୀ ଆରମ୍ଭ କରିଥିବା ଭୂଦାନ ଗତ ଅକ୍ଟୋବର 4 ତାରିଖରେ ଚାକିରୀରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇ ସାରସକଣା ଆସନରୁ ପ୍ରାର୍ଥୀ ହୋଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ଇସ୍ତଫା ପତ୍ର ଗ୍ରହଣ ହୋଇନଥିବାରୁ ସେ ପ୍ରାର୍ଥୀପତ୍ର ଦାଖଲ କରିପାରୁନାହାନ୍ତି । ଦୀର୍ଘ 5 ମାସ ଅପେକ୍ଷା କରିବା ପରେ ଶେଷରେ ସେ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନବୀନ ନିବାସରେ ପହଞ୍ଚିଛନ୍ତି ।

ସାଙ୍ଗରେ ଥିଲେ ଲେଖାଶ୍ରୀ ସାମନ୍ତସିଂହାର ଓ ସମୀର ମହାନ୍ତି । ନବୀନ ନିବାସ ସମ୍ମୁଖରେ ପହଞ୍ଚିବା ପରେ ସେମାନଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସ । ତେବେ ସେମାନଙ୍କୁ ଗୋପବନ୍ଧୁ ଆଶ୍ବସନା ଦେଇଥିଲେ ଯେ ଏହା ବିଷୟରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବଙ୍କ ସହ କଥା ହୋଇଛନ୍ତି । ଖୁବଶିଘ୍ର ଭୂଦାନଙ୍କ ସମସ୍ୟାର ସମାଧାନ ହୋଇଯିବ । ଏହି ଆଶ୍ବାସନା ପାଇବା ପରେ ମଧ୍ୟ ବିଜେପି ନେତାଙ୍କ ମନ ମାନିନଥିଲା । ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ଇସ୍ତଫା ପତ୍ର ଗ୍ରହଣର ନକଲ ନେଇଯିବେ ବୋଲି କହି ନବୀନ ନିବାସ ସମ୍ମୁଖରେ ପ୍ରାୟ 5 ଘଣ୍ଟା ଧରି ଅପେକ୍ଷା କରିଥିଲେ ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

ABOUT THE AUTHOR

...view details