ଭୁବନେଶ୍ବର: ଗତକାଲି(ସୋମବାର) ବିଜେଡି ପକ୍ଷରୁ ହୋଇଥିବା ପ୍ରେସମିଟରେ କେନ୍ଦ୍ର ସରକାର ଉଷୁନା ଚାଉଳ ନେବାକୁ କାହିଁକି ମନା କରି ସମାଲୋଚନା କରିବା ପ୍ରସଙ୍ଗରେ ଆଜି(ମଙ୍ଗଳବାର) ପୁଣି ଏହାକୁ ନେଇ ବିଜେଡିକୁ କାଉଣ୍ଟର କରିଛି ବିଜେପି ।
ବିଜେଡିକୁ କାଉଣ୍ଟର କଲେ ଲେଖାଶ୍ରୀ ଏନେଇ ଆଜି ବିଜେପି ପକ୍ଷରୁ ଏକ ପ୍ରେସମିଟ କରି ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତାକୁ ମିଡିଆ ସାମ୍ନାରେ ରଖିବା ସହ ଚାଷୀ ସମସ୍ୟା ନେଇ ପ୍ରବଳ ବର୍ଷିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ।
ସେ କହିଛନ୍ତି ଯେ, ଓଡ଼ିଶାରେ ଚାଷୀମାନଙ୍କ ଅବସ୍ଥା ସମସ୍ତେ ଜାଣିଛନ୍ତି । ଲକ୍ଷଲକ୍ଷ ଚାଷୀ ମଣ୍ଡିରେ ଧାନ ଧରି ବସିଛନ୍ତି, କିନ୍ତୁ ସରକାର ଉଠାଉ ନାହାନ୍ତି । ଆରଏମସି, ପ୍ୟାକ୍ସ, ଲ୍ୟାମ୍ପସ ପାଖରେ ପ୍ରଚୁର ଅର୍ଥ ପଡି ରହିଛି । କିନ୍ତୁ ଖର୍ଚ୍ଚ କରାଯାଉନି । ଓଡ଼ିଶାର ଚାଷୀଙ୍କୁ ଭ୍ରମିତ କରିବା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ରାଜ୍ୟ ସରକାର ।
ଉଷୁନା ଚାଉଳ କେବଳ ପୂର୍ବ ଭାରତରେ ଖିଆଯାଏ । ଅଧିକ ଉଷୁନା ଚାଉଳ ସଂଗ୍ରହ କଲେ ତାହା ନଷ୍ଟ ହେବ । ତେଣୁ ଏଫସିଆଇ ଯେଉଁ ଚିଠି ଲେଖିଛି, ସେଥିରେ ଲେଖା ଅଛି ଯେ, ଯେତେ ଅରୁଆ ଚାଉଳ ରାଜ୍ୟ କରିବ, ତାହା ଆମେ କିଣିବୁ । ରାଜ୍ୟରେ ଉତ୍ପାଦିତ ଉଷୁନା ଚାଉଳ ରାଜ୍ୟବାସୀଙ୍କ ପାଇଁ ଯଥେଷ୍ଟ ।
ଏବେ ରାଜ୍ୟ ସରକାର ଉଷୁନା କଥା, ଏଥିପାଇଁ କହୁଛନ୍ତି କାରଣ ମିଲର ଲାଭବାନ ହେବେ । ରାଜ୍ୟର ମିଲରଙ୍କ ପାଖରେ ପଯ୍ୟାପ୍ତ ଉଷୁନା ଚାଉଳ ଗଚ୍ଛିତ ଅଛି । ଧାନରୁ ଚାଉଳ କଲାବେଳେ ଉଷୁନା ଅପେକ୍ଷା ଅରୁଆ କମ ଉତ୍ପାଦନ କରାଯାଏ । ଉଷୁନା ଚାଉଳ କୁଣ୍ଡାରୁ ଯେଉଁ ତେଲ ବାହାରେ ତାହାର ଫାଇଦା ମିଲ ମାଲିକ ନେଇଥାଏ । ଉଷୁନା ଚାଉଳ ଅପେକ୍ଷା ଅରୁଆ ଚାଉଳ ଜଲଦି ଭାଙ୍ଗିଯାଇ ୱେଷ୍ଟେଜ ଅଧିକ ହୁଏ ।
ତେଣୁ ମିଲରମାନେ ଚାହୁଁଛନ୍ତି ଉଷୁନା ଚାଉଳ ଏଫସିଆଇ ନେଉ । ଆଉ ରାଜ୍ୟ ସରକାର ଚାଷୀଙ୍କ କଥା ଚିନ୍ତା ନକରି ମିଲରଙ୍କ ପାଇଁ ଓକିଲାତି କରୁଛନ୍ତି । ଏହି ଚିଠି ଡିସେମ୍ବର ମାସରୁ ପାଇଥିଲେ ମଧ୍ୟ, ଏନେଇ ସାଧାରଣ ଜନତା କିମ୍ବା ମିଲରମାନଙ୍କୁ ଅବଗତ କରାଇ ନାହାନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ