ଭୁବନେଶ୍ବର: ଆଉ କିଛି ସମୟ ପରେ ଓଡିଶାରେ ପହଞ୍ଚିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଥିବା ଅମିତ ଶାହଙ୍କ ଭବ୍ୟ ସ୍ବାଗତ ପାଇଁ ବିଜେପି ପୁରା ପ୍ରସ୍ତୁତ । ନେତାଙ୍କଠାରୁ ନେଇ କର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ପାର୍ଟି ଅଫିସ ଆଗରେ ଶାହାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପାଇଁ ଦଳ ପ୍ରସ୍ତୁତ ହୋଇଛି ।
ଦଳ ଉପରେ ପଡ଼ିବ ଅମିତଙ୍କ ଗସ୍ତର ପ୍ରଭାବ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "୨୦୧୭ରେ ଓଡିଶା ପ୍ରଦେଶର ସଂଗଠନକୁ ଏକ ପୁନର୍ବିନ୍ୟାସ କରିବା ପାଇଁ ଅମିତ ଶାହଙ୍କ ଯୋଜନା ଆରମ୍ଭ କରିଥିଲେ । ସେ ଦୃଷ୍ଟିରୁ ଦଳର ସମସ୍ତ କର୍ମୀଙ୍କ ସହ ତାଙ୍କର ଏକ ଭାବଗତ ସମ୍ପର୍କ ଯୋଡି ହୋଇ ରହିଛି । ଦଳ ଉପରେ ଏବଂ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମାନସିକତା ଉପରେ ଅମିତ ଶାହଙ୍କ ଗସ୍ତ ନିଶ୍ଚିତ ଭାବେ ପ୍ରଭାବ ପକାଇବ ।"
କାର୍ଯ୍ୟସୂଚୀ ଅନୁଯାୟୀ ଆଜି (ରବିବାର) ରାତିରେ ଶାହ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରେ ତାଙ୍କର ସ୍ବାଗତ ସମ୍ବର୍ଦ୍ଧନା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସୋମବାର ସକାଳେ ପ୍ରଥମେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ରାଜ୍ୟ ସଭାପତିଙ୍କ ଘରକୁ ଯିବାର କାର୍ଯ୍ୟକ୍ରମ ରହିଛି । ଏହାପରେ କଟକରେ ନେତାଜୀଙ୍କ ଜନ୍ମ ସ୍ଥାନ ପରିଦର୍ଶନ କରିବା ସହ ପ୍ରଜାତନ୍ତ୍ର ଖବରକାଗଜର ୭୫ତମ ପ୍ରତିଷ୍ଠା ଦିବସରେ ସାମିଲ ହେବେ ।
ପରବର୍ତ୍ତୀ ସମୟରେ ରାଜ୍ୟ କାର୍ଯ୍ୟାଳୟରେ ଦଳର ପ୍ରମୁଖ ନେତାଙ୍କ ସହ ଶାହ ଆଲୋଚନା କରିବେ । ଓଡ଼ିଶାରେ ନୂଆ ମିଶନ କାର୍ଯ୍ୟ ନେଇ ରୁଦ୍ଧ ଦ୍ବାର ବୈଠକ ବସିବ । ଭୁବନେଶ୍ବରର ଏକ ଘରୋଇ ହୋଟେଲରେ ମୋଦି@20 କାର୍ଯ୍ୟକ୍ରମରେ ଯୋଗଦେବେ । ଏହାପରେ ଭୁବନେଶ୍ବର ବିମାନବନ୍ଦରରୁ ଫେରିଯିବେ ।
ଇଟିଭି ଭାରତ, ଭୁବନେଶ୍ବର