ଭୁବନେଶ୍ବର: ସାଂସଦ ଭର୍ତ୍ତୃହରି ମହତାବଙ୍କୁ ବିଜେପିର ପ୍ରଂଶସା ପରେ ନିଆଁବାଣ ବିଜେଡି । ଆଉ ଏହାପରେ ଆରମ୍ଭ ହୋଇଛି ବିଜେଡି ଓ ବିଜେପି ମଧ୍ୟରେ ଟ୍ବିଟ ଓ୍ବାର । ତେବେ ନିଜ ଦଳର ନେତାଙ୍କ ପ୍ରଶଂସା ଶୁଣି କାହିଁକି ତାତିଲା ବିଜେଡି ? କ’ଣ ପାଇଁ ଅସହିଷ୍ଣୁ ଦଳର ନେତା ?
ବିଜେଡି ଲୋକସଭା ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରଶଂସାରେ ଶତମୁଖ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭର୍ତ୍ତୃହରି ମହତାବଙ୍କ ପ୍ରଚେଷ୍ଟା ଯୋଗୁଁ 26 ନଭେମ୍ବରକୁ ଆଜି ଦେଶ ସମ୍ବିଧାନ ଦିବସ ଭାବରେ ପାଳନ କରୁଛି ବୋଲି କହି ପ୍ରଶଂସା କରିଥିଲେ ଧର୍ମେନ୍ଦ୍ର । କେବଳ ଏତିକି ନୁହେଁ ଭର୍ତ୍ତୃହରିଙ୍କୁ ବିଜେଡି କଣ ପାଇଁ ଗୁରୁତ୍ବ ଦେଉନଥିବା ପ୍ରଶ୍ନ କରିଥିଲେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ।
ଧର୍ମେନ୍ଦ୍ରଙ୍କ ବୟାନ ପରେ କଟାକ୍ଷ କରି ଖପ୍ପା ବିଜେଡିର ଟାଣୁଆ ନେତା । ଟ୍ବିଟ କରି କେନ୍ଦ୍ରମନ୍ତ୍ରୀଙ୍କୁ ପାଲଟା ଜବାବ ଦେଇଛନ୍ତି ବିଜେଡିର ସଙ୍କଟମୋଚକ ତଥା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଧର୍ମେନ୍ଦ୍ରଙ୍କୁ ଟ୍ବିଟ କରି ପ୍ରଣବ କହିଛନ୍ତି, ଆପଣ କଲମ୍ଵସ ପରି ଭର୍ତ୍ତୃହରି ବାବୁଙ୍କ ବୁଦ୍ଧି ଓ ଅଭିଜ୍ଞତାର ଆବିଷ୍କାର କରିଛନ୍ତି । ମୋର ଅନୁରୋଧ, ଆପଣ ଲାଲକୃଷ୍ଣ ଆଡଭାନୀ ଜୀ ଓ ମୂରଲୀ ମନୋହର ଯୋଶୀ ଜୀଙ୍କ ଅମାପ ଅଭିଜ୍ଞତା ଓ ଦକ୍ଷତାର ମଧ୍ୟ ସେଇଭଳି ସଦୁପଯୋଗ କରନ୍ତୁ । ସେମାନେ ମଧ୍ୟ ଯଥେଷ୍ଟ ବୁଦ୍ଧିମାନ ଓ ବିଜେପି ପାଇଁ ସମର୍ପିତ ।