ଭୁବନେଶ୍ବର: ରାଜ୍ୟରେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ ଜମି ଫାଟି ଆଁ କରିଛି । ତା' ଉପରେ ସାର ଅଭାବ । କେନ୍ଦ୍ରରୁ ଆବଶ୍ୟକ ପରିମାଣର ସାର ଆସୁନଥିବାରୁ ରାଜ୍ୟରେ ସାରର ଘୋର ଅଭାବ ଦେଖାଦେଇଛି । ଯାହାକୁ ନେଇ ବଢିବାରେ ଲାଗିଛି ଚାଷୀ ଅସନ୍ତୋଷ । ସେପଟେ ଆବଶ୍ୟକ ସାର ପାଇଁ ଦାବି କରିଆସୁଛନ୍ତି ଓଡିଶା ସରକାର । ଏନେଇ ମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀ ମଧ୍ୟ କେନ୍ଦ୍ରକୁ ଚିଠି ଲେଖିଛନ୍ତି । ମରୁଡି ସମୟରେ ଚାଷୀ ହତାଶ ହେଉଥିବାବେଳେ କେନ୍ଦ୍ରର ଏଭଳି ଅବହେଳାକୁ ନେଇ ତୀବ୍ର ବିରୋଧ କରିଛି ବିଜେଡି । ବୁଧବାର ରାଜଭବନ ନିକଟରେ ଦଳ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରାଯାଇଛି । ଏଥିସହ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଛି ବିଜେଡି ।
ସାର ଅଭାବକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି । ଚାଷ ଓ ଚାଷୀ ଅବସ୍ଥା ଅସମ୍ଭାଳ ହୋଇପଡ଼ିଲାଣି । ରାଜ୍ୟରେ ବର୍ତ୍ତମାନ 4 ଲକ୍ଷ ମେଟ୍ରିକ ଟନ୍ ସାର ଦରକାର ଥିବାବେଳେ ମାତ୍ର 2 ଲକ୍ଷ ମେଟ୍ରିକ ଟନ୍ କେନ୍ଦ୍ର ଦେଇଛି । ଚାଷ କାର୍ଯ୍ୟ ସରି ଆସୁଥିବାବେଳେ କେନ୍ଦ୍ର ସରକାର ୟୁରିଆ ସାର ଯୋଗାଉ ନଥିବା ବିଜେଡି ଅଭିଯୋଗ କରିଛି । ଏ ସମ୍ପର୍କରେ ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରିଛି ବିଜେଡି ।