ଭୁବନେଶ୍ବର:ଆଜି ସରୁଛି ବିଧାନସଭା ବଜେଟ ଅଧିବେଶନ । ଜଳସମ୍ପଦ ଓ ପର୍ଯ୍ୟଟନ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନକାଳରେ ଆଲୋଚନା ହୋଇଛି । 5T ଓ ମୋ ସରକାରକୁ ତେରଚ୍ଛା ବାଣ ମାରିଛନ୍ତି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ବିଭାଗରେ 5T ପ୍ରବେଶ ଦ୍ୱାରା ଜାତିଭେଦ ସୃଷ୍ଟି ହେଉଥିବା କହିଛନ୍ତି ସୌମ୍ୟ । ଜଳ ନୀତିର ଅର୍ଥ ପିଇବାକୁ ପାଣି, କୃଷି ପାଇଁ ଦେବା ଓ ତା ପରେ ପର୍ଯ୍ୟଟନ । ଏବେ ନଦୀ ମାଫିଆ ଶୁଖି ଯାଉଥିବା ନଦୀକୁ ଅପହରଣ କରି ନେଉଛନ୍ତି । ସରକାରଙ୍କୁ କଟାକ୍ଷ କରି ବିଧାୟକ ସୌମ୍ୟ ପଟ୍ଟନାୟକ କହିଛନ୍ତି ଶିଳ୍ପ ପାଇଁ ପାଣି ଦେବାକୁ ବ୍ୟାକୁଳ କିନ୍ତୁ ପିଇବାକୁ ପାଣି ନାହିଁ । ସରକାର ଜଳ ନୀତି ଆଣିଛନ୍ତି, ମାତ୍ର ସେ ଜଳ ନୀତିର ମାନେ କଣ ? ନଦୀ ଜଳ ପରିଚଳନା ନେଇ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ବେଳେ ମନ୍ତ୍ରୀଙ୍କ ଉତ୍ତର ଶୁଣି ଏହା କହିଛନ୍ତି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଥିଲେ ।
ସେ ଆହୁରି କହିଛନ୍ତି ମନ୍ତ୍ରୀଙ୍କର ଉତ୍ତର ଶୁଣିବାକୁ ବହୁତ ଭଲ ଲାଗୁଛି । ଅନେକ ଗୁଡିଏ ନୂଆ ନୂଆ କଥା ଜାଣିବାକୁ ପାଉଛୁ । ଜଳ ସାକ୍ଷରତା, ନିରନ୍ତର ଜଳ ପରିଚାଳନା,ଏବଂ ଜଳକୁ କିପରି ସୁରକ୍ଷିତ ରଖାଯିବ, ୟୁଥ ଫର ୱାଟର ଏବଂ ସର୍ଵ ଶେଷରେ ମୋ ନଦୀ ଅଭିଯାନ । ଏ ସବୁ କଥା ଗୁଡିକ ଆମ କାନକୁ ଭଲ ଶୁଭୁଛି । ସବୁ କଥାରେ ମୋ ଶବ୍ଦର ବ୍ୟବହାର କରିବାର ପ୍ରବଣତା ଆମର ଟିକିଏ ଅଧିକ ହୋଇଥିବା ମନେ ହେଉଛି ବୋଲି କହିଛନ୍ତି ବିଧାୟକ ସୌମ୍ୟ ।