ଓଡିଶା

odisha

ETV Bharat / city

ସଦସ୍ୟ ସଂଗ୍ରହ ପାଇଁ ବିଜେପି ପରେ ଅଣ୍ଟା ଭିଡୁଛି ବିଜେଡି

ଆଗକୁ ଆସୁଛି ପୌର ନିର୍ବାଚନ । ନିଜନିଜ ଦଳ ପାଇଁ ବଳ ଗୋଟାଇବାରେ ଲାଗିପଡିଛନ୍ତି ରାଜନୈତିକ ସଂଗଠନ । ବିଜେପି ନିଜର ସଦସ୍ୟତା ସଂଗ୍ରହ କରିସାରିଥିବା ବେଳେ ଶାସକ ବିଜେଡ଼ି ଆରମ୍ଭ କରିବାକୁ ଯାଉଛି ଏହି ଅଭିଯାନ ।

ଡ଼ିଜାଇନ ଫଟୋ

By

Published : Aug 25, 2019, 1:47 AM IST

ଭୁବନେଶ୍ବର: ଚଳିତ ନିର୍ବାଚନ ପରେ ଆଗାମୀ ପୌର ନିର୍ବାଚନ ପାଇଁ ଦୁଇ ପ୍ରମୁଖ ଦଳ ଏବେ ଆରମ୍ଭ କରିଛନ୍ତି ସଦସ୍ୟତା ସଂଗ୍ରହ ଅଭିଯାନ । ବିରୋଧି ବିଜେପି ଏହି ଅଭିଯାନ ଆରମ୍ଭ କରିସାରିଥିବା ବେଳେ ଆଗକୁ ଆରମ୍ଭ କରିବ ଶାସକ ବିଜେଡ଼ି । ଗଣେଷ ପୂଜାରୁ ଗାଁ ଗାଁ ବୁଲି ବଳ ଗୋଟାଇବ ବିଜେଡି । ସଭ୍ୟ ସଂଗ୍ରହ ଅଭିଯାନ ଦ୍ବାରା ସଙ୍ଗଠନକୁ ମଜବୁତ କରିବାକୁ ଲକ୍ଷ୍ୟ ରଖିଛି ଶାସକ ଦଳ । ଏହି ଅଭିଯାନ ଆସନ୍ତା ସେପ୍ଟେମ୍ବର ୨ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ଚାଲିବ । ଯେଉଁଥିପାଇଁ 7 ଜଣିଆ ରାଜ୍ୟସ୍ତରୀୟ କମିଟି ଗଠନ କରିଛନ୍ତି ଦଳର ସୁପ୍ରିମୋ । ଏହି କମିଟି ଦଳର ସଭ୍ୟ ସଂଗ୍ରହ ଅଭିଯାନରେ ସମନ୍ବୟ ରକ୍ଷା ସହ ତଦାରଖ କରିବେ ।

କମିଟିର ଆବାହକ ଭାବେ ଦଳର ଉପସଭାପତି ତଥା ବିଧାୟକ ଦେବୀପ୍ରସାଦ ମିଶ୍ର ଓ ସଭ୍ୟ ଭାବେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ସଞ୍ଜୟ ଦାସବର୍ମା, ପ୍ରତାପ କେଶରୀ ଦେବ, ପ୍ରଦୀପ ପାଣିଗ୍ରାହୀ ଓ ପ୍ରଣବ ପ୍ରକାଶ ଦାସ କାର୍ଯ୍ୟ କରିବେ । ତେବେ ପ୍ରଥମ ଥର ଲାଗି ସଙ୍ଗଠନର ସୁଦୃଢୀକରଣ ପାଇଁ ଟେକ୍ନୋଲୋଜିକୁ ବ୍ୟବହାର କରିବ ଶାସକ ଦଳ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

ସେପଟେ ରାଜ୍ୟ ବିଜେପି ସଦସ୍ୟତା ସଂଗ୍ରହ ଅଭିଯାନ ଗତ 20 ତାରିଖରେ ଶେଷ କରିଛି । ଏହି ଅଭିଯାନ ଜୁଲାଇ 6 ତାରିଖରୁ ଆରମ୍ଭ କରାଯାଇଥିବା ବେଳେ 50 ଲକ୍ଷ ସଭ୍ୟ ସଂଗ୍ରହ ପାଇଁ ଯୋଜନା ରଖିଥିଲା ଦଳ । ପୂର୍ବରୁ ଦଳରେ 36 ଲକ୍ଷ ସଦସ୍ୟ ଥିବା ବେଳେ ବର୍ତ୍ତମାନ ଆହୁରୀ ପ୍ରାୟ 30 ଲକ୍ଷରୁ ଅଧିକ ସଭ୍ୟ ସଂଗ୍ରହ କରାଯାଇଥିବା କହିଛି ଦଳ । ତେବେ ସଭ୍ୟ ସଂଗ୍ରହ ଅଭିଯାନ ଶେଷ ହେବା ପରେ ଆସନ୍ତା କାଲି ଦଳର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାର ଥିଲା । ମାତ୍ର ଦଳର ବରିଷ୍ଠ ନେତା ତଥା ପୂର୍ବତ୍ତନ ବିତ୍ତ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ଦେହାନ୍ତ ଯୋଗୁଁ ଏହାକୁ ବାତିଲ କରାଯାଇଛି । ଆଗକୁ ପୌର ନିର୍ବାଚନ ସହ 2022 ରେ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ । ତେବେ ସଭ୍ୟ ସଂଗ୍ରହ ଅଭିଯାନ କେଉଁ ଦଳକୁ କେତେ ବଳ ଦେଉଛି ତାହା ଆଗାମୀ ଦିନର ନିର୍ବାଚନ ଫଳାଫଳ ହିଁ ଉତ୍ତର ଦେବ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details