ଭୁବନେଶ୍ବର: ସାମ୍ନାକୁ ଆସିଲା ନାମିଦାମୀ ମୋବାଇଲ କମ୍ପାନୀ ସର୍ଭିସ ସେଣ୍ଟରର କଳା କାରବାର। ସର୍ଭିସ ସେଣ୍ଟରର ଗୁମର ଖୋଲିଲେ ସିପି ମ୍ୟାନେଜର। ସେଠାରେ କିପରି ମୋବାଇଲ ସଜାଡିବା ଆଳରେ କଳା କାରବାର ଚାଲିଥିଲା ତାହାର ଖୁଲାସା କରିଛନ୍ତି ସର୍ଭିସ ସେଣ୍ଟରରେ କାମ କରୁଥିବା ମହିଳା।
ମହିଳାଙ୍କ କହିବା ଅନୁସାରେ ମୋବାଇଲ ସଜାଡିବାକୁ ଆସୁଥିବା ଲୋକ ସର୍ଭିସ ସେଣ୍ଟର ଭରସାରେ ସଜାଡିବାକୁ ଦିଅନ୍ତି। ଯାହାର ଫାଇଦା ସର୍ଭିସ ସେଣ୍ଟରର କର୍ମଚାରୀ ଉଠାନ୍ତି। ଖରାପ ହୋଇନଥିଲେ ବି ଅନେକ ପାର୍ଟସ ଖରାପ କହି ଗ୍ରାହକକୁ ଲୁଟନ୍ତି। ଅର୍ଥାତ ଗ୍ରାହାକ ଜାଣିପାରନ୍ତି ନାହିଁ ଯାହାର ମୌକାରେ ଛକା ପିଟନ୍ତି ସର୍ଭିସ ସେଣ୍ଟରର କର୍ମଚାରୀ।
ଏପରିକି ଡେଡ ମୋବାଇଲ ବା ପୁରା ଖରାପ ଥିବା ମୋବାଇଲ କେହି ସଜାଡିବାକୁ ଆଣିଲେ ଅଧିକ ଲାଭ ହୋଇଥାଏ। ଅର୍ଥାତ ଯେଉଁ ମୋବାଇଲର ଭଲ ପାର୍ଟସ ଥାଏ ତାକୁ ଖୋଲି ରଖିଦିଅନ୍ତି କର୍ମଚାରୀ। ପରେ ସେହି ସ୍ଥାନରେ ଖରାପ ପାଟର୍ସ ଲଗାଇ କଷ୍ଟମରକୁ ମୋବାଇଲ ସଜାଡି ହେବନାହିଁ କହି ଫେରାଇ ଦିଅନ୍ତି। ଆଉ ମୋବାଇଲରୁ ଖୋଲି ରଖିଥିବା ଭଲ ପାର୍ଟସକୁ କର୍ମଚାରୀ କଲିକତା, ବିହାର ଓ ଦିଲ୍ଲୀ ଭଳି ସ୍ଥାନକୁ ପଠାଇ ମୋଟା ଅଙ୍କର ଟଙ୍କା ପାଇଥାନ୍ତି ।