ଭୁବନେଶ୍ବର: ଭୁବନେଶ୍ବର ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ ଶନିବାର ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଦୁଇଟି ପ୍ରସ୍ତାବ ଆଗତ ହୋଇଥିବା ବେଳେ ଶୋକ ପ୍ରସ୍ତାବ ସହ ରାଜନୈତିକ ଚିଠା ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା ସୂଚନା ମିଳିଛି ।
କୋଭିଡରେ ପ୍ରାଣ ହରାଇଥିବା କାର୍ଯ୍ୟକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ଦୀର୍ଘ ୨୧ ବର୍ଷ ଧରି ରାଜ୍ୟରେ ଏକ ସ୍ଥାଣୁ ସରକାର ରହିଛି । ସ୍ମାର୍ଟ ସିଟିର ନାଁ ଓ ଡ଼ିଣ୍ଡିମ ପିଟି 68ଟି ୱାର୍ଡ଼ରୁ 7ଟି ୱାର୍ଡରେ ସ୍ମାର୍ଟ ସିଟି କାମ ଆରମ୍ଭ ହୋଇଛି । କିନ୍ତୁ ଏବେ ବି ଭୁବନେଶ୍ବରରେ ବର୍ଷା ହେଲେ ଲୋକେ ପ୍ରଭାବିତ ହେଉଛନ୍ତି । ପ୍ରାୟ ସମସ୍ତ ୱାର୍ଡରେ ଡ୍ରେନେଜ ଓ ସ୍ଵେରେଜ ସମସ୍ୟା ରହିଛି । ଲୋକ ମାନଙ୍କର ଏ ସମସ୍ୟା କେଵେ ଦୂର ହେବ ସେ ନେଇ କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା ହୋଇଛି । ସ୍ମାର୍ଟ ସିଟିର କାର୍ଯ୍ୟ କେବେ ଶେଷ ହେବ ତାହା ଏବେ ସନ୍ଦେହ ଘେରରେ ରହିଛି । ବସ୍ତି ବାସିନ୍ଦାଙ୍କ ଭୋଟ ବ୍ୟାଙ୍କର ସାହାରା ନେଇ ବିଜେଡ଼ି ସରକାରକୁ ଆସିଥିଲା । ଏବେ ବି ବସ୍ତି ବାସିନ୍ଦାଙ୍କ କଥା କହୁଛନ୍ତି ସରକାର । ହେଲେ ସେମାନଙ୍କର ଦୁଃଖ ସରୁନାହିଁ ବୋଲି ବିଜେପି ଅଭିଯୋଗ କରିଛି ।
ଏହାସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 28 ଲକ୍ଷରୁ ଊର୍ଦ୍ଧ୍ବ ଘର ଆସିଲାଣି । କିନ୍ତୁ ରାଜ୍ୟ ସରକାର ଏବେ ଯାଏଁ ଲୋକଙ୍କ ମୁଣ୍ଡ ଉପରେ ଛାତ ଦେଇପାରୁନାହାନ୍ତି । ରାଜଧାନୀବାସୀଙ୍କ ଉପରେ ହୋଲ୍ଡିଂ ଟ୍ୟାକ୍ସ ନାଁରେ ଏକ ଜିଜିଆ କରକୁ ଲଦିଥିଲେ ସରକାର । ବିଜେପି ଓ ସାଧାରଣ ଲୋକଙ୍କ ପ୍ରବଳ ଚାପ ପରେ ଏହାକୁ ପ୍ରତ୍ୟାହାର କରିଛନ୍ତି ସରକାର । କିନ୍ତୁ ଯେଉଁ ଲୋକ ମାନଙ୍କ ପାଖରୁ ପାଖାପାଖି ୧୫ କୋଟି ଟଙ୍କା ଆଦାୟ ହୋଇଥିଲା, ସେ ଟଙ୍କାକୁ ଫେରସ୍ତ ଦେଉନାହାନ୍ତି । ଖାଲି ସେତିକି ନୁହେଁ ଲୋକଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରାଯାଉ ବୋଲି ବିଜେପି ଦାବି କରିଛି ।