ପୁରୀ: ଆଜି ପବିତ୍ର ଅଁଳା ନବମୀ । କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ଅଁଳା ନବମୀ ପାଳନ କରାଯାଏ । ଏହାକୁ ଅକ୍ଷୟ ନବମୀ ମଧ୍ୟ କୁହାଯାଏ। ହିନ୍ଦୁ ଧର୍ମରେ ଅଁଳା ନବମୀର ବିଶେଷ ମହତ୍ତ୍ବ ରହିଛି । ଏହି ଦିନ ଅଁଳା ଗଛକୁ ପୂଜା କରାଯାଏ । ଏହା ଦ୍ବାରା ଅଖଣ୍ଡ ସୌଭାଗ୍ୟ ଆରୋଗ୍ୟ ଓ ସୁଖ ପ୍ରାପ୍ତି ହୁଏ ବୋଲି ପ୍ରତିଟି ଓଡିଆଙ୍କ ମନରେ ବିଶ୍ବାସ ରହିଛି । ଏହି ଦିନ ଦାନ ପୂଣ୍ୟ କଲେ ଏହି ଜନ୍ମ ସହ ଆସନ୍ତା ଜନ୍ମରେ ମଧ୍ୟ ଫଳ ମିଳିଥାଏ ।
ଏହି ଦିନ ଦ୍ବାପର ଯୁଗ ଆରମ୍ଭ ହୋଇଥିବା ବିଶ୍ବାସ ରହିଛି । ଆଜିର ଦିନରେ ଭଗବାନ ବିଷ୍ଣୁ କୁଷ୍ମାଣ୍ଡକକୁ ବଦ୍ଧ କରିଥିଲେ । ଅଁଳା ବିଷ୍ଣୁଙ୍କ ପ୍ରିୟ ଫଳ । ଏହି ବୃକ୍ଷରେ ସମସ୍ତେ ଦେବାଦେବୀ ବାସ କରନ୍ତି । ଅଁଳା ନବମୀ ଦିନ ଅଁଳା ଗଛକୁ ପୂଜା କଲାବେଳେ ପରିବାରର ସୁଖ ସମୃଦ୍ଧି କାମନା କରାଯାଏ । ଏହାସହ ଏହି ପବିତ୍ର ଦିନରେ ଅଁଳା ଗଛ ତଳେ ବସି ଭୋଜନ ମଧ୍ୟ କରାଯାଏ । ପ୍ରସାଦ ଭାବେ ଅଁଳା ମଧ୍ୟ ସେବନ କରାଯାଏ ।
ସାକ୍ଷୀଗୋପାଳ ଶ୍ରୀ ଶ୍ରୀ ଗୋପିନାଥ ଦେବ ମନ୍ଦିରରେ ପବିତ୍ର ରାଧାପାଦ ଦର୍ଶନ ମିଳିଥାଏ । ଦେଖିବାକୁ ମିଳିଥାଏ ମା'ଙ୍କ ଓଡିଆଣି ବେଶ । ସମ୍ବଲପୁରୀ ଶାଢୀ ପରିଧାନ କରି ଖାଣ୍ଟି ଓଡିଆଣି ବେଶରେ ଦର୍ଶନ ଦେଇଛନ୍ତି ଶ୍ରୀରାଧା । ଏହି ପବିତ୍ର ତିଥିରେ ସାକ୍ଷୀଗୋପାଳ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ହେଲେ ଆଜି ମନ୍ଦିର ସମ୍ପୂର୍ଣ୍ଣ ଖାଁଖାଁ । ଭକ୍ତଶୂନ୍ଯ ମନ୍ଦିର ପରିସର । ସବୁଠି ପହରା ଦେଉଛନ୍ତି ପୋଲିସ । କୋରୋନା ମହାମାରୀ ଯୋଗୁଁ ରାଧାପାଦ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ । କୋଭିଡ୍ ଗାଇଡଲାଇନ୍ ଆଧାରରେ ଆଜି ଅଁଳା ନବମୀ ଅବସରରେ ଗୋପିନାଥ ଦେବ ମନ୍ଦିର ପରିସରରେ ଜାରି ହୋଇଛି ୧୪୪ ଧାରା ।