ଭୁବନେଶ୍ବର: ଆସନ୍ତା 28 ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ଅମିତ ଶାହା। ଏନେଇ ରାଜ୍ୟ ବିଜେପି ଶିବିରରେ ତତ୍ପରତା ପ୍ରକାଶ ପାଇଛି। ଏପଟେ ସମାବେଶ ସ୍ଥଳରେ ଆଜି ଭୂମିପୂଜନ କରାଯାଇଛି। ଗୃହମନ୍ତ୍ରୀ ସାରା ଦେଶରେ ନାଗରିକ ସଂଶୋଧନ ଆଇନ ସମର୍ଥନରେ ସଭା ଆୟୋଜନ ହୋଇଥିବାବେଳେ ଭୁବନେଶ୍ବରରେ ଏହା ଉଦଯାପିତ ହେବ।
ଅମିତ ଶାହଙ୍କ ସଭା ପାଇଁ ଭୂମି ପୂଜନ, ଲକ୍ଷାଧିକ କର୍ମୀଙ୍କ ସମାଗମ ସୂଚନା ଅନୁସାରେ, ସ୍ଥାନୀୟ ଜନତା ମୈଦାନ ଠାରେ ହେବାକୁ ଥିବା ଏହି ସମାବେଶ ପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଯାଇଛି। ମଞ୍ଚ ପ୍ରସ୍ତୁତ ଠାରୁ ଆରମ୍ଭ କରି ଲକ୍ଷାଧିକ ଲୋକ ଆସିବାକୁ ଥିବାରୁ ସେମାନଙ୍କ ପାଇଁ ସମସ୍ତ ପ୍ରକାର ଆୟୋଜନ ଆଜିଠାରୁ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି।
ଏହି ଅବସରରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି କି ଶାନ୍ତିପ୍ରିୟ ଭାରତରେ ଏହି ଆଇନକୁ ଲୋକମାନେ ସମର୍ଥନ କରୁଛନ୍ତି। ହେଲେ କଂଗ୍ରେସ ଓ ବାମ ଦଳ ମାନେ ନିଜର ରାଜନୈତିକ ଶକ୍ତି ପ୍ରଦର୍ଶନ ପାଇଁ ଲୋକଙ୍କ ମନରେ ମିଛ ପ୍ରଚାର କରୁଥିବାରୁ କିଛି ଲୋକ ଏହାକୁ ପ୍ରତ୍ୟାଖାନ କରୁଛନ୍ତି।
ତେବେ ଏଭଳି ହିଂସା ପ୍ରଦର୍ଶନ ପଛରେ ଥିବା ଲୋକମାନଙ୍କୁ ଦେଶବାସୀ ଭଲଭାବେ ଚିହ୍ନି ସାରିଥିବା ବେଳେ ତାଙ୍କୁ ଉଚିତ ଜବାବ ଦେବେ ବୋଲି ସମୀର କହିଛନ୍ତି। ଏହି ସମାବେଶ ରାଜ୍ୟର ବିଜେପି କର୍ମୀଙ୍କୁ ଉତ୍ସାହିତ କରିବ ବୋଲି ସେ କହିବା ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଜନସାଧାରଣ ଯୋଗ ଦେବେ ବୋଲି ଜଣାପଡିଛି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ