ଭୁବନେଶ୍ବର: କୋରାପୁଟର କୋଟିଆରେ ଆନ୍ଧ୍ରପ୍ରଦେଶ ସରକାର ପଞ୍ଚାୟତ ନିର୍ବାଚନ କରିବା ପରଠାରୁ ଓଡ଼ିଶାରେ ଏହାର ଚର୍ଚ୍ଚା ଥମିବାର ନାଁ ଧରୁନି। ଏହାକୁ ନେଇ ଓଡିଶା ରାଜନୀତି ସରଗରମ ହୋଇ ଉଠିଥିବା ବେଳେ ଏଥିରେ ବିଜେପି ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରିଛି ଆମ ଅଧିକାର ସଂଗଠନ । ସଂଗଠନ ପକ୍ଷରୁ ଆଜି(ଶନିବାର) ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସଂଗଠନର ଆବାହକ ଅମୀୟ ପାଣ୍ଡବ ଓ ମହାସଚିବ ଗଣେଶ ଦାସ ପ୍ରମୁଖ କେତେକ ପ୍ରଶ୍ନ ପଚାରିଛନ୍ତି ।
କୋଟିଆ ପ୍ରସଙ୍ଗରେ ରାଜ୍ୟ ବିଜେପି ପକ୍ଷରୁ ନାନାଦି ନାଟକବାଜୀ ଚାଲିଛି । ବିଜେପିର ନେତୃବୃନ୍ଦ ରାଜନୈତିକ ଫାଇଦା ଲୁଟିବା ଲକ୍ଷ୍ୟରେ ଦଳବଳ ନେଇ ସେଠାକୁ ପିକ୍ନିକ୍ କରିବାକୁ ଯିବା ହାସ୍ୟାସ୍ପଦ । ଓଡ଼ିଶା ବିଜେପିର ଯଦି ସତରେ ଆନ୍ତରିକତା ଅଛି ଓ ଓଡ଼ିଶାର ଅଖଣ୍ଡତା ତଥା ଅସ୍ତିତା ପ୍ରତିଅଙ୍ଗିକାରବଦ୍ଧତା ଅଛି ତେବେ ଦଳ ତାଙ୍କ ନେତାଙ୍କୁ ଏହି ପ୍ରସଙ୍ଗରେ ରାଜ୍ୟପାଳ ପଦବୀରୁ ଓହରାଇ ଆଣିବାକୁ ପ୍ରସ୍ତାବ ଦେବା କିମ୍ବା ଅନୁରୋଧ କରିପାରିବ କି ? ଆମେ ବିଜେପି ନେତା ବିଶ୍ବଭୂଷଣ ହରିଚନ୍ଦନଙ୍କୁ ସିଧାସଳଖ ପ୍ରଶ୍ନ କରିବାକୁ ଚାହୁଁ ଯେ, ସେ ନିଜକୁ ଜଣେ ଓଡ଼ିଶାପ୍ରେମୀ ଓ ପାଇକଯୋଦ୍ଧା ବୋଲି ଦାବି କରନ୍ତି ତେବେ ଓଡ଼ିଶା ପ୍ରସଙ୍ଗରେ ଆନ୍ଧ୍ରର ଆଚରଣ ଏକ ଆକ୍ରମଣ ନୁହେଁ କି ? ଏଭଳି ଆକ୍ରମଣର ସେ ଅଂଶୀଦାର ହେଲେ ଇତିହାସ ତାଙ୍କୁ କେବେ ବି କ୍ଷମା କରିବ ନାହିଁ ।