ଭୁବନେଶ୍ବର: ରାଜଧାନୀର ଏକ ଘରୋଇ ନର୍ସିଂ କଲେଜ ନାମରେ ପାଠ୍ୟକ୍ରମର ନକଲି ସାର୍ଟିଫିକେଟ ଯୋଗାଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଖଣ୍ଡଗିରି ଥାନାରେ ଛାତ୍ରଛାତ୍ରୀଙ୍କ ଅଭିଯୋଗ ପରେ କର୍ତ୍ତୃପକ୍ଷଙ୍କୁ ଡକ୍ୟୁମେଣ୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଘରୋଇ ନର୍ସିଂ କଲେଜ ନାଁରେ ନକଲି ସାର୍ଟିଫିକେଟ ଠକେଇ ଅଭିଯୋଗ ଏହି କଲେଜରେ ଏଏନମ, ଜିଏନମ, ଓଟି, ଆଇସିୟୁ ପାଠ୍ୟକ୍ରମ ନାମରେ କୋଟିଏ ଟଙ୍କା ଛାତ୍ରଛାତ୍ରୀଙ୍କଠୁ ଠକି ନେଇଥିବା ଅଭିଯୋଗ ହୋଇଛି । ପାଠ୍ୟକ୍ରମ ସରିବା ପରେ ଛାତ୍ରଛାତ୍ରୀଙ୍କୁ ନକଲି ସାର୍ଟିଫିକେଟ କଲେଜ ଯୋଗାଇ ଦେଇଛି । ଏନେଇ କଲେଜ ନାମରେ ଖଣ୍ଡଗିରି ଥାନାରେ ଅନେକ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ପୋଲିସ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି ।
ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ, ଏହି ଘରୋଇ କଲେଜର ଆଡମିସନ ନେବା ପାଇଁ ଖବରକାଗଜରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଛାତ୍ରଛାତ୍ରୀମାନେ ପାଠ୍ୟକ୍ରମ ପାଇଁ ଥିବା ଫି ଦେଇ ଆଡମିସନ ନେଲେ । ଏହି ପାଠ୍ୟକ୍ରମ ସରିବା ପରେ କଲେଜ ଅନ୍ୟ ଏକ କଲେଜ ନାମରେ ସାର୍ଟିଫିକେଟ ଦେଇଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ତେବେ ଛାତ୍ରଛାତ୍ରୀମାନେ ଚାକିରି ପାଇଁ ସାର୍ଟିଫିକେଟ ଦାଖଲ କରିବା ସମୟରେ ଏହା ନକଲି ବୋଲି ଜାଣିବାକୁ ପାଇଥିଲେ । ତେବେ କମିସନରେଟ ପୋଲିସ ଏନେଇ ୯୧ ସିଆରପିସିରେ ନୋଟିସ ଜାରି କରି କଲେଜ କର୍ତ୍ତୃପକ୍ଷଙ୍କୁ ଡ଼କ୍ୟୁମେଣ୍ଟ ଦାଖଲ ପାଇଁ କୁହାଯାଇଛି ।
ଭୁବନେଶ୍ବରରୁ ତାପସ କୁମାର ପରିଡ଼ା, ଇଟିଭି ଭାରତ