ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି(ଶନିବାର) ଠାରୁ ରାଜ୍ୟରେ ସକାଳୁଆ ହେବ ସ୍କୁଲ। ବିଭାଗର ନିର୍ଦ୍ଦେଶ ଅନୁଯାୟୀ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ସ୍କୁଲ ସମୟ ସକାଳ ୬ଟା ୩୦ ମିନିଟ୍ରୁ ୧୦ଟା ୩୦ ମିନିଟ୍ ପର୍ଯ୍ୟନ୍ତ ରହିଛି।
ନବମରୁ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କ ପାଠପଢ଼ା ସମୟ ସକାଳ ୭ଟା ୩୦ ମିନିଟ୍ରୁ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ରଖାଯାଇଛି। ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଛି। ଏନେଇ କ୍ୟାପିଟାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ନାୟକ କହିଛନ୍ତି ଯେ କାଲି ଠାରୁ ଛାତ୍ରଛାତ୍ରୀଙ୍କ ସକାଳୁଆ କ୍ଳାସ ଆରମ୍ଭ ହେବାକୁ ଯାଉଛି। ସେହି ସମୟ ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ ମଧ୍ୟ ସ୍କୁଲରେ ରହିବେ।