ଭୁବନେଶ୍ବର:ବ୍ରଜରାଜନଗର ଉପନିର୍ବାଚନ( Brajarajnagar By-Poll) ପାଇଁ ଆଜି(ସୋମବାର) ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କ ଅଧ୍ୟକ୍ଷତାରେ ବସିଛି ସର୍ବଦଳୀୟ ବୈଠକ । ବୈଠକରେ ସ୍ଵୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତା ଯୋଗ ଦେଇଛନ୍ତି । ନିର୍ବାଚନ ଆୟୋଗଙ୍କ ଦ୍ଵାରା ବ୍ରଜରାଜନଗର ଉପନିର୍ବାଚନ ଘୋଷଣା ସହ ସଂପୂର୍ଣ୍ଣ ନିର୍ବାଚନ ସୂଚୀ ସଂପର୍କରେ ଉପସ୍ଥିତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଅବଗତ କରାଇଛନ୍ତି ।
ଉପନିର୍ବାଚନ ଘୋଷଣା ଦିନଠାରୁ ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ସହ ସମଗ୍ର ଝାରସୁଗୁଡ଼ା ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି । ଏହା ଜୁନ୍ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ବିଜ୍ଞାପନ ଛପା ହେଲେ ବିଜ୍ଞାପନରେ କୌଣସି ମନ୍ତ୍ରୀ କିମ୍ବା ରାଜନୈତିକ ବ୍ୟକ୍ତିବିଶେଷଙ୍କର ଫଟୋ ରହିବ ନାହିଁ । ଏହି ସମୟ ମଧ୍ୟରେ ଜିଲ୍ଲାରେ କୌଣସି ନୂତନ ଯୋଜନା ଘୋଷଣା କିମ୍ବା କାର୍ଯ୍ୟକାରୀ କରାଯାଇପାରିବ ନାହିଁ । ଏହି ସମୟ ମଧ୍ୟରେ ଜିଲ୍ଲାକୁ ମନ୍ତ୍ରୀମାନଙ୍କର ସରକାରୀ ଗସ୍ତ କରାଯାଇପାରିବ ନାହିଁ ।
ବ୍ରଜରାଜନଗର ଉପନିର୍ବାଚନରେ ଭୋଟଗ୍ରହଣ ଦିନ ବୁଥ୍ ମଧ୍ୟରେ ବିଶୃଙ୍ଖଳା ଓ ବୁଥ୍ ଜବରଦଖଲ ଆଦିକୁ ରୋକିବା ଲାଗି ୫୦ ପ୍ରତିଶତ ବୁଥ୍ରେ ୱେବ୍କାଟିଂ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ପ୍ରାର୍ଥୀମାନେ ଲିଫ୍ଲେଟ୍, ପାମ୍ପଲେଟ୍ ଛାପିଲେ, ଜନପ୍ରତିନିଧି ଆଇନ୍ ୧୯୫୧ର ଧାରା ୧୨୭ (କ) ଅନୁସାରେ ମୁଦ୍ରାକାର ଓ ପ୍ରକାଶକଙ୍କ ସଂପୂର୍ଣ୍ଣ ନାମ ଓ ଠିକଣା ରହିବ । ନିର୍ବାଚନ ପ୍ରଚାର ସମୟରେ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ମାଇକ୍ ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଛି । ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ନିର୍ବାଚନ ଖର୍ଚ୍ଚ ୩୦.୮୦ ଲକ୍ଷରୁ ୪୦ ଲକ୍ଷ ଟଙ୍କାକୁ ବଢ଼ାଇ ଦିଆଯାଇଛି ।