ଭୁବନେଶ୍ବର: ଫନି ବାତ୍ୟାକୁ ଏହା ଭିତରେ ବିତି ଯାଇଛି ଦେଢମାସ । ହେଲେ ଏବେବି ଜୀବନ୍ତ କ୍ଷତଚିହ୍ନ । ଦେଢମାସ ପରେ ବି ବିଜୁଳି ଆଲୋକ ଦେଖିବାରୁ ବଞ୍ଚିତ ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକର ଅନେକ ପଞ୍ଚାୟତବାସୀ । ଏଠାରେ ଖରା ଦାଉ ଠାରୁ ବଳି ଯାଉଛି ବିଜୁଳି କଷ୍ଟ । ଦିନ ବେଳା ଯେନତେନ କଟି ଯାଉଛି, କିନ୍ତୁ ରାତି ହେଲେ ସତେ ଯେମିତି ମାଡି ଆସୁଛି ବିପତ୍ତି ।
ବିଶେଷକରି ଜୟଦେବ ନିର୍ବାଚନୀ ମଣ୍ଡଳୀର ଅନେକ ପଞ୍ଚାୟତବାସୀ ଅନ୍ଧାରରେ ଦିନ କାଟୁଛନ୍ତି । ଅନ୍ୟାନ ସ୍ଥାନ ଭଳି ଏଠାରେ ମଧ୍ୟ ତାଣ୍ଡବ ରଚିଥିଲା ଫନି । ଫନିମାଡରେ ଘାଇଲା ହୋଇଥିଲା ବାଲିପାଟଣାର ଅନେକ ପଞ୍ଚାୟତ । ଘରଦ୍ବାର ଭାଙ୍ଗିରୁଜି ଯାଇଥିଲା । ଶହ ଶହ ଗଛ ଉପୁଡି ପଡିଥିଲା । ତା ସହ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା ବିଦ୍ୟୁତ୍ ସେବା । ଅନେକ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଗୁଡିକ ଉପୁଡି ପଡିଥିଲା । ଯାହାର ପରିଣାମ ସ୍ବରୂପ ଆଜି ଯାଏଁ ବିଜୁଳି ଟିକେ ପାଇ ପାରୁ ନାହାନ୍ତି ଏଠାକାର ଲୋକେ । ଅନ୍ୟସ୍ଥାନ ଭଳି ଏଠାରେ ବି ଚାଲିଛି ବିଦ୍ୟୁତ୍ ମରାମତି କାମ । କିନ୍ତୁ ଗାଁ ଗୁଡିକୁ ଆଲୋକ ଆସି ପାରୁନି । ଫଳରେ ବିନା ଆଲୁଆରେ ଜୀବନ ହୋଇପଡିଲାଣି ଦୁର୍ବିଶହ ।