ହାଇଦ୍ରାବାଦ: ନାରୀ... ଦୟା, କ୍ଷମା, ପ୍ରେମ ଓ ସଂଘର୍ଷର ପ୍ରତିମୂର୍ତ୍ତୀ । କେତେବେଳେ ସେ ସୀତାଙ୍କ ପରି ରମଣୀୟ, ସାବିତ୍ରୀ ପରି ପବିତ୍ର, ଅହଲ୍ୟା ପରି ସହନଶୀଳ, ତ କେତେବେଳେ ସେ ଶତୃ ସଂହାର ପାଇଁ ସାଜେ ମହିଷାମର୍ଦ୍ଦିନୀ ମା ଦୁର୍ଗା । ମା ହୋଇ କେବେ କୋଳେଇ ନିଏ ସେ ତା କୋଳକୁ । ଜୀବନ ସାଥୀ ହୋଇ ପାଦ ମିଶାଇ ଚାଲେ ପାଦରେ । ଝିଅଟିଏ ହୋଇ ଘରେ ଭରିଦିଏ ଖୁସି । ସବୁ ଦାୟିତ୍ବକୁ ସୂଚାରୁ ରୂପେ ତୁଲାଇ ନିଏ ସେ । ଫୁଲ ପରି କୋମଳ ମନ କିନ୍ତୁ ଅପାର ଶକ୍ତି ଓ ସାହସ ଭରି ରହିଛି ତା’ ଭିତରେ । କୌଣସି ପରିସ୍ଥିତିରେ ହାରିଯିବା ସେ ସ୍ବୀକାର କରେନା ।
ମାଟିଠୁ ଆରମ୍ଭ କରି ମଙ୍ଗଳଗ୍ରହ, ଆକାଶଠୁ ଆରମ୍ଭ କରି ଅନ୍ତରୀକ୍ଷ । ନାରୀ ସର୍ବଦା ପ୍ରତିପାଦନ କରିଛି ନିଜର ପାରଦର୍ଶିତା । ଜନନୀ, ଭଗିନୀ, ଅର୍ଦ୍ଧାଙ୍ଗିନୀ ଭୁମିକାରେ ସମସ୍ତ ସମ୍ପର୍କକୁ ସାଉଁଟି ରଖେ ସେ । ହେଲେ ଏ ସବୁ ପରିଚୟଠାରୁ ଢେର ଉର୍ଦ୍ଧ୍ବରେ ତା’ ନିଜସ୍ବ ପରିଚୟ । ସମାଜରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ତମାମ ବାଧା ବିଘ୍ନ, ଝଡ ଝଞ୍ଜାକୁ ଲଙ୍ଘି ସେ ହୁଏ ସ୍ବୟଂସିଦ୍ଧା । ଏମିତି କିଛି ମହିଳା ଯିଏ ନିଜ ଉଦ୍ୟମ ବଳରେ ସମାଜ ପାଇଁ ପାଲଟି ଯାଇଛନ୍ତି ଉଦାହରଣ ।
ସମସ୍ତ ପ୍ରତିକୂଳ ପରିସ୍ଥିତିରେ ବି ନାରୀଟିଏ ନିଜର ସାମର୍ଥ୍ୟ ଓ ଶ୍ରେଷ୍ଠତା ପ୍ରତିପାଦନ କରିପାରେ । ଯାହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଭୁବନେଶ୍ବରର ସୁନିତା ମହାନ୍ତି ଯିଏ ନିଜ ଦୃଢ ନିଷ୍ଠା ବଳରେ ନିଜ ସହ ଅନ୍ୟ 1500 ଲୋକଙ୍କୁ କରିପାରିଛନ୍ତି ରୋଜଗାରକ୍ଷମ । ସହିପରି ଢେଙ୍କାନାଳର ଯାଜ୍ଞସେନୀ ଜେନା ଓ କେନ୍ଦୁଝରର ଅନିତା ମହାନ୍ତି ଧୂପକାଠି ଉଦ୍ୟୋଗ ମାଧ୍ୟମରେ ଅନେକ ମହିଳାଙ୍କ ଜୀବନରେ ମହକ ଭରୁଥିବା ବେଳେ ଗ୍ରାମୀଣ ମହିଳାଙ୍କ ଜୀବନକୁ ଧୂଆଁମୁକ୍ତ କରିବା ପାଇଁ ଧୂମବିହୀନ ଚୁଲା ପ୍ରସ୍ତୁତ କରୁଛନ୍ତି ଜଗତସିଂହପୁରର ମହିଳା ଉଦ୍ୟୋଗୀ ଶୁଭରାଣୀ ମହାନ୍ତି ।