ଭୁବନେଶ୍ବର:ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣାଧୀନ । ରାଜ୍ୟରେ ଅକ୍ସିଜେନର ସମସ୍ୟା ନାହିଁ । କୌଣସି ହସ୍ପିଟାଲରେ ରୋଗୀଙ୍କୁ ଫେରାଇ ଦିଆଯାଉନାହିଁ । ଏଭଳି କିଛି ଗୋଲାପୀ ଚିଠା ଲୋକଙ୍କ ଆଗରେ ରଖୁଛନ୍ତି ରାଜ୍ୟ ସରକାର । ହେଲେ ସରକାରଙ୍କ ଏହି ଘୋଷଣାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା । ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ଚିତ୍ର ଆପଣ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେ ନାହିଁ । ଏହା ପୁଣି କେଉଁ ଉପାନ୍ତ ଇଲାକାରେ ନୁହେଁ ବରଂ ଖୋଦ ରାଜଧାନୀରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ସରକାରଙ୍କ ଘୋଷଣାର ବିପରୀତ ଦିଗରେ ଚାଲିଛି ଚିକିତ୍ସା ବ୍ୟବସ୍ଥା । ହସ୍ପିଟାଲରେ ଭର୍ତ୍ତି ନ ହୋଇପାରି ରାସ୍ତା ଉପରେ କାର ଭିତରେ ଅକ୍ସିଜେନ ନେଲେ ଜଣେ ବୟସ୍କ ବ୍ୟକ୍ତି ।
ସହର ଉପକଣ୍ଠ ନିରାକାରପୁରର ୬୫ ବର୍ଷୀୟ ପଠାଣି ଜେନା । ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ପରିବାର ଲୋକ ତାଙ୍କୁ ଭୁବନେଶ୍ୱର ଆଣିଥିଲେ । କିନ୍ତୁ କୌଣସି ଡାକ୍ତରଖାନାରେ ତାଙ୍କୁ ମିଳିନଥିଲା ଏଣ୍ଟ୍ରି । ପ୍ରଥମେ ତାଙ୍କୁ ଏମ୍ସ ନିଆଯାଇଥିଲା, ବେଡ ନଥିବା କହି ଫେରାଇ ଦେଲେ ଏମ୍ସ କର୍ତ୍ତୃପକ୍ଷ । ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ସେଠାରେ ମଧ୍ୟ ସେ ନିରାଶ ହୋଇଥିଲେ । ଏମିତିକି ପ୍ରାଥମିକ ଚିକିତ୍ସା ଦେବାକୁ ଅମଙ୍ଗ ହୋଇଥିଲା କ୍ୟାପିଟାଲ ହସ୍ପିଟାଲ । କୋଭିଡ ପରୀକ୍ଷା ହୋଇନଥିବାରୁ ହସ୍ପିଟାଲ ଫେରାଇ ଦେଉଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ସମୟ ଗଡ଼ିବା ସହ ପଠାଣିଙ୍କ ସ୍ବାସ୍ଥ୍ୟବସ୍ଥା ଧୀରେ ଧୀରେ ବିଗିଡୁଥିଲା । ଅକ୍ସିଜେନ ଲେଭଲ ୭୦ରେ ପହଞ୍ଚି ଯାଇଥିଲା । ଏନେଇ ପରିବାର ପକ୍ଷରୁ ଶିଖ୍ ଏଡର ସତବୀରଙ୍କ ସହ ଯୋଗାଯୋଗ କରାଯାଇଥିଲା । ଶିଖ୍ ଏଡର ସହାୟତାରେ କାର ଭିତରେ ହିଁ ଅକ୍ସିଜେନ ବ୍ୟବସ୍ଥା କରାଯାଇଥିଲା । ପୂର୍ବରୁ ଏଭଳି ଦୃଶ୍ୟ ଦିଲ୍ଲୀ ତଥା ଅନ୍ୟ ରାଜ୍ୟରେ ଦେଖିବାକୁ ମିଳୁଥିଲା । କିନ୍ତୁ ଏବେ ଭୁବନେଶ୍ୱରରେ ବି ସମାନ ସ୍ଥିତି ସାମ୍ନାକୁ ଆସୁଛି ।