ଭୁବନେଶ୍ବର :ବାହାରିନରେ କୋମା ଅବସ୍ଥାରେ ମୃତ୍ୟୁବରଣ କରିଥିବା ଓଡ଼ିଆ ଶ୍ରମିକଙ୍କ ମର ଶରୀର ଓଡ଼ିଶାରେ ପହଞ୍ଚିବାର ୨୪ ଘଣ୍ଟା ନପୁରୁଣୁ ପୁଣି ଏକ ଦୁଃଖଦ ଖବର ଆସି ପହଞ୍ଚିଛି । ବାହାରିନର ସାମ୍ସ ଅଲମନାର ବ୍ଲାକସ୍ମିଥ କମ୍ପାନୀରେ କାର୍ଯ୍ୟରତ ଗଞ୍ଜାମ କନ୍ଦିଗାଁର ୨୭ ବର୍ଷୀୟ ଯୁବକ ଜିତୁ ସ୍ୱାଇଁ ସଲ୍ମାବାଦ ଶ୍ରମିକ ଶିବିର ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିବା କୁହାଯାଉଛି । କମ୍ପାନୀର ମାଲିକଙ୍କ କହିବା ଅନୁସାରେ ଶ୍ରମିକ ଶିବିରରେ ରହୁଥିବା ୫ଜଣ ଶ୍ରମିକ କାର୍ଯ୍ୟକ୍ଷେତ୍ରକୁ ଚାଲିଯିବା ପରେ ଜିତୁ ଆତ୍ମହତ୍ୟା କରିଛନ୍ତି ।
ଜିତୁଙ୍କ ସମ୍ପର୍କୀୟ ଭାଇ ପ୍ରଭାତ ଏ ସମ୍ପର୍କରେ ବାହାରିନ ଓଡ଼ିଆ ସମାଜ ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜଙ୍କୁ ଜଣାଇବା ପରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ସମେତ ପୋଲିସ ବିଭାଗ, ଦୂତାବାସ ଆଦିରେ ଯୋଗାଯୋଗ କରି ବିଧିବଦ୍ଧ ତଦନ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ । ସମ୍ପର୍କୀୟ ଭାଇ ପ୍ରଭାତଙ୍କ କହିବାନୁଯାୟୀ ଜିତୁ ଆର୍ଥିକ ସମସ୍ୟା କାରଣରୁ ଭୀଷଣ ଭାବେ ମାନସିକ ଚାପଗ୍ରସ୍ତ ଥିଲେ । ଯେଉଁ କାରଣରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ।