ଭୁବନେଶ୍ବର: ନୂଆ ଟ୍ରାଫିକ ନିୟମକୁ ନେଇ ଚାରିଆଡେ ଚର୍ଚ୍ଚା । କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀରେ ନୂଆ ମୋଟର ଯାନ ନିୟମକୁ କଡାକଡି କରାଯାଇଛି । ରାଜଧାନୀର ବ୍ୟସ୍ତ ବହୁଳ ଛକ ମାନଙ୍କରେ କରାଯାଉଛି ଜୋରଦାର ଚେକିଂ । ନୂଆ ଟ୍ରାଫିକ ନିୟମକୁ ନେଇ ଚାଳକଙ୍କ ମଧ୍ୟରେ ଛନକା ପଶିଥିବାବେଳେ ଶୁକ୍ରବାର ଟୁଇନ ସିଟିର କମିଶନର ସୁଧାଶୁଂ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ।
ଏହି ବୈଠକରେ ରସୁଲଗଡ ଓ ମଧୁ ପାଟଣା ରାସ୍ତାର ମରାମତି କରିବା, ଜେବ୍ରା କ୍ରଶିଙ୍ଗ ସଠିକ୍ ଭାବେ ଦୃଶ୍ୟମାନ ହେବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ, ଭୁବନେଶ୍ବର ଓ କଟକ ରାଜମାର୍ଗରେ ଲେନ ସମ୍ବନ୍ଧରେ ସୂଚନା ଫଳକ ଲଗାଇବା, ରାସ୍ତାରେ ପାର୍କିଂ ଓ ଅଣ ପାର୍କିଂ ସୂଚନା ଲଗାଇବା ସହ ରାସ୍ତାକୁ ଚିହ୍ନିତ କରିବା ଓ ରାଜମହଲ ଛକରୁ ଏଜି ଛକ ରାସ୍ତା ମଧ୍ୟରେ ଅବରୋଧ ହଟାଇବାକୁ ନିଷ୍ପତ୍ତି ହୋଇଛି । ଏହାସହ ବିଭିନ୍ନ କାର୍ଯ୍ୟକ୍ରମକୁ ସୁବ୍ୟବସ୍ଥିତ କରିବା ପାଇଁ ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ ବୈଠକ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି ।