ଭୁବନେଶ୍ବର:ସାରା ରାଜ୍ୟରେ ଖସି ପାରେ ତାପମାତ୍ରା । ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୯ ତାରିଖ ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରି ଟ୍ବିଟ ଯୋଗେ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର ।
ଯଦି ଲଘୁଚାପ ବଳୟ ସୃଷ୍ଟି ହୁଏ, ତେବେ ସାରା ରାଜ୍ୟରେ ତାପମାତ୍ର ଖସିବ । ଫଳରେ ରାତ୍ରୀରେ ଶୀତ ବଢିବା ସହ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ମଧ୍ୟ ତାପମାତ୍ରା ଖସିବ ।
ପାଣିପାଗ ବିଭାଗର ଆକଳନ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପାଗ ଶୁଖିଲା ରହିଛି। କେନ୍ଦୁଝର ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା 17.04 ଡିଗ୍ରୀ ରେକର୍ଡ ହୋଇଥିବା ବେଳେ, ଭୁବନେଶ୍ବରେ 21.06 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ଅନ୍ୟପଟେ ଓଡିଶା ଉପରେ ପାଣିପାଗ ବିଶେଷ ପ୍ରଭାବ ନାହିଁ। ଆଗାମୀ 5 ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବ । କିନ୍ତୁ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ଆଶିଂକ ମେଘୁଆ ପାଗ ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ